ମିନିଆପଲିସି / ଭୁବନେଶ୍ୱର ୩୦/୦୪/୨୦୨୧(ଓଡ଼ିଶା ସମାଚାର)- ଆମେରିକାରେ ଅବସ୍ଥାପିତ ଓଡ଼ିଆ ବୈଜ୍ଞାନିକ, ଉଦ୍ୟୋଗପତି ଏବଂ ଜନହିତୈଶୀ ଡଃ ସୀତକଣ୍ଠ ଦାଶ କୋଭିଡ୍ ସଙ୍କଟକୁ ମୁକାବିଲା କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ଦାନ କରିଛନ୍ତି । ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଏବଂ କୂଳାଧିପତି ଡଃ ଦାଶ ଏକ ବକ୍ତବ୍ୟରେ ତାଙ୍କର ଏହି ବିନମ୍ର ଅନୁଦାନ ବିଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ପ୍ରବାସୀ ଓଡ଼ିଆମାନଙ୍କୁ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଯୋଗୁଁ ଉଦ୍ଭବ ଚଳିତ ଭୟଙ୍କର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି କାଳରେ ନିଜର ମାତୃଭୂମି ଭାରତ ଓ ମାତୃପ୍ରଦେଶ ଓଡ଼ିଶାକୁ ଉଦ୍ଧାର କରିବା ପାଇଁ ସାହାଯ୍ୟ ସହଯୋଗ ପ୍ରଦାନ କରିବା ସକାଶେ ନିଶ୍ଚିତ ଭାବେ ଉତ୍ସାହ, ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶା ପ୍ରକାଶ କରିଛନ୍ତି । ଡଃ ଦାଶଙ୍କ ତରଫରୁ ଜଗଦଗୁରୁ କୃପାଳୁ
ବିଶ୍ୱବିଦ୍ୟାଳୟ ଟ୍ରଷ୍ଟର ସଭାପତି ସ୍ୱାମୀ ମୁକୁନ୍ଦାନନ୍ଦ ଏବଂ କୂଳସଚିବ ମଧୁସୂଦନ ମିଶ୍ର ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭୁବନେଶ୍ୱରର ଲୋକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟଠାରେ ସାକ୍ଷାତ କରି ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଭାରତୀୟମାନେ ଅଭୂତପୂର୍ବ ଭୂତାଣୁ ଆତଙ୍କ ଯୋଗୁଁ ଯେଉଁଭଳି ଭାବେ ଅକଥନୀୟ ଯନ୍ତ୍ରଣା ଓ ନିର୍ଯାତନାର ଶୀକାର ହେଉଛନ୍ତି, ସେ ନେଇ ସମଗ୍ର ବିଶ୍ୱରେ ଆମ ଦେଶ ପ୍ରତି ସମବେଦନା ପ୍ରକାଶ ପାଉଥିବା ଡଃ ଦାଶ ଦର୍ଶାଇଛନ୍ତି । ଓଡ଼ିଶା ସରକାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଓ କରୋନାର ସଂକ୍ରମଣକୁ ରୋକିବାରେ ଯେପରି ସଫଳ ଓ ସମୟାନୁବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛନ୍ତି, ତା’ର ସେ ପ୍ରଶଂସା କରିଛନ୍ତି । ସଦ୍ୟ ଗଠିତ ବିଶ୍ୱ ଓଡ଼ିଶା ସମାଜର ମୁଖ୍ୟ ପୃଷ୍ଠପୋଷକ ଡଃ ଦାଶ, ସାମ୍ପ୍ରତିକ ମହାବିପତ୍ତିକୁ ଆୟତ୍ତାଧୀନ କରିବା ପାଇଁ ସାରା ପୃଥିବୀର ଓଡ଼ିଆ ସଂପ୍ରଦାୟ ଆଗଭର ହୋଇ ଆସି ରାଜ୍ୟ ସରକାରଙ୍କର ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି । ପ୍ରୋବାଓଟେକ୍ ଉଦ୍ଭାବନର ପ୍ରମୁଖ ପ୍ରବର୍ତ୍ତକ ଡଃ ସୀତକଣ୍ଠ ଦାଶ ଆମେରିକାର ମିନିଆପଲିସି ଠାରେ ୟୁ.ଏ.ଏସ୍ ଲାବୋରେଟୋରୀଜ୍, ସାଉଥ୍ଡାକୋଟା ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରୋବାଓଟେକ୍ ଉଦ୍ଭାବନ କେନ୍ଦ୍ର ଏବଂ ଭୁବନେଶ୍ୱରସ୍ଥିତ ଆଇ.ଆଇ.ଟିଠାରେ ଡଃ ଏସ୍.କେ. ଦାଶ ପ୍ରୋବାଓଟେକ୍ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପ୍ରତିଷ୍ଠା କରିଛନ୍ତି । ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧିପ୍ରାପ୍ତ ଦାତବ୍ୟ ଟ୍ରଷ୍ଟ ଡଃ ଦାଶ ପ୍ରତିଷ୍ଠାନର ଅଧ୍ୟକ୍ଷ, ଡଃ ସୀତକଣ୍ଠ ଦାଶ ନିଜର ଜନ୍ମ ପ୍ରଦେଶ ଓଡ଼ିଶାରେ ବହୁ ଜନହୀତକର ପ୍ରକଳ୍ପ ପ୍ରଣୟନ କରିଥିବା ଜଣାଯାଇଛି । ଶ୍ରୀଜଗନ୍ନାଥଙ୍କର ଜଣେ ଅଗ୍ରଣୀ ଭକ୍ତ ଡଃ ଦାଶ ଦେଶ ବିଦେଶରେ ଜଗନ୍ନାଥ ଧର୍ମର ପ୍ରଚାର ପ୍ରସାର କରିବା ସାଙ୍ଗକୁ ମିନେସୋଟାଠାରେ ଆମେରିକାର ସବୁଠୁ ବୃହତ୍ ହୀନ୍ଦୁ ମନ୍ଦିର ସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ଏବେ ମିନେସୋଟାର ଭାରତୀୟ ସଂଘ ଏବଂ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ସାଉଥ୍ଡାକୋଟା ରାଜ୍ୟ ବିଶ୍ୱବିଦ୍ୟାଳୟର ଆଡ୍ଜଙ୍କ ପ୍ରାଧ୍ୟାପକ ଅଛନ୍ତି । ଓଡ଼ିଶା ସମାଚାର