କେନ୍ଦ୍ରାପଡ଼ା, ୩୦/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତରେ ସରକାରୀ ମଦ ଦୋକାନ ଖୋଲିବା ପାଇଁ ଗୋଟିଏ ପକ୍ଷରେ ଜିଲ୍ଲା ଅବକାରୀ ବିଭାଗ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟ ପକ୍ଷରେ ପଂଚାୟତର ସୀମା ମଧ୍ୟରେ କୌଣସି ପ୍ରକାର ମଦ ଦୋକାନ ଖୋଲାଇ ନଦେବା ପାଇଁ ପଂଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟାମାନେ ପୁଣି ଅନ୍ଟା ଭିଡିଛନ୍ତି । ଏଠାରେ ପ୍ରକାଶ ଥାଉକି ୨୦୧୭ ମସିହାରୁ ଖୋଲିଥିବା ମଦ ଦୋକାନ ବିରୁଦ୍ଧରେ ପଂଚାୟତର ମହିଳାମାନଙ୍କ ନେତୃତ୍ୱରେ ଦୀର୍ଘଦିନ ଧରି ଆନ୍ଦୋଳନ ଫଳରେ ସରକାର ସେତେବେଳେ ମଦ ଦୋକାନ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ମାତ୍ର ଏହାର ୪ ବର୍ଷ ପରେ ଏବେ ପୁଣି ସେଠାରେ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗର ବିଜ୍ଞପ୍ତି ପ୍ରକାଶ ପରେ ମହିଳାମାନେ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ମାତ୍ର ଜିଲ୍ଲା ପ୍ରଶାସନ ଏହି ଦାବି ପ୍ରତି ଅଣଦେଖା କରି ଏଠାରେ ମଦ ଦୋକାନ ଖୋଲିବା ପାଇଁ ଦୋକାନ ନିଲାମ କରିବା ପରେ ନିଲାମଧାରୀ ମଦ ବ୍ୟବସାୟୀ ଦୋକାନ ଖୋଲିବା ପାଇଁ ଉଦ୍ୟମ ଆରମ୍ଭ କରୁଥିବାର ଜଣାପଡିବାରେ ଅଂଚଳବାସୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଗୁରୁବାର ପଂଚାୟତର ପୁରୁଷୋତମପୁର ଗ୍ରାମସ୍ଥିତ ବଜ୍ରସୁନା ମନ୍ଦିର ପ୍ରାଙ୍ଗଣରେ ମଦ ବିରୋଧି ଆନ୍ଦୋଳନର ବ୍ଲକ ସଭାପତି ଦୈାପ୍ରଦୀ ରାଉତଙ୍କ ଆହ୍ୱାନକ୍ରମେ ଶତାଧିକ ମହିଳା କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ବୈଠକରେ ଏକତ୍ରିତ ହୋଇ ଅବକାରୀ ବିଭାଗର କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଶ୍ୟାମସୁନ୍ଦରପୁର ପଂଚାୟତ ମଧ୍ୟରେ ଚାଲୁଥିବା ସମସ୍ତ ପ୍ରକାର ଚୋରା ବ୍ୟବସାୟ ଏବଂ ସରକାରୀ ମଦ ଦୋକାନ ଖୋଲିବା ବିରୁଦ୍ଧରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିବା ସହିତ କୈାଣସି ପରିସ୍ଥିତିରେ ଏଠି ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ପ୍ରତିବାଦ ପୁଣିଥରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସହ ଆବଶ୍ୟକ ହେଲେ ଅଂଚଳର ବୁଦ୍ଧିଜିବୀ, ସାମାଜିକ କର୍ମୀ ଏବଂ ବିଭିନ୍ନ ସଂଗଠନକୁ ଏକତ୍ରିତ କରି ପ୍ରବଳ ପ୍ରତିରୋଧ ଆନ୍ଦୋଳନ ସୃଷ୍ଟି କରାଯିବ ବୋଲି ସଭାରେ ଉପସ୍ଥିତ ନିରୁପମା ମହାନ୍ତି, ନଳିନୀ ନାୟକ, ଶୈଳବାଳା ସାମଲ, ବନ୍ଦନା ରାଉତରାୟ, ନିବେଦିତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ନାୟକ, କଲ୍ୟାଣ ପରିଡା, ନିମଲତା ନାୟକ, ମାନିନୀ ଜେନା, ଶର୍ମିଳା ବାରିକ, କଲ୍ୟାଣୀ ପରିଡାଙ୍କ ସମେତ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଜିଲା ସଂପାଦକ ଆଦିକନ୍ଦ ରାଉଳ, ଜିଲା ବିକାଶ ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ, ଆଡଭୋକେଟ୍ ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର