କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- +୨ ୨ୟ ବର୍ଷ ବୋର୍ଡ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ଛାତ୍ର ସଂଘ ପକ୍ଷରୁ କେନ୍ଦ୍ରାପଡା ଜୁନିଅର କଲେଜ, କେନ୍ଦ୍ରାପଡା ଇଭିନିଂ କଲେଜ, ପଟ୍ଟାମୁଣ୍ଡାଇ ଜୁନିଅର କଲେଜ, ନିକିରାଇ ମହାବୀର ଜୁନିଅର କଲେଜ, ବୀରୂପା ଜୁନିଅର କଲେଜ, ଆୟବାର ସରକାରୀ ଜୁନିଅର ବିଜ୍ଞାନ କଲେଜ ସମେତ ଜିଲ୍ଲାର ୧୩ଟି ମହାବିଦ୍ୟାଳୟର ଶତାଧିକ ଛାତଛାତ୍ରୀ ବୁଧବାର ଗଣ ଆନ୍ଦୋଳନ କରିବା ସହିତ କଟକ – ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା କଲେଜ ସମ୍ମୁଖ ରାସ୍ତା ଉପରେ ବସିରହି ଅବରୋଧ କରିଥିଲେ । ସେମାନଙ୍କ ଦାବି ହେଉଛି ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ସେମାନେ ଘରେ ରହି ୯ ମାସ କାଳ ଅନଲାଇନ୍ ରେ ପାଠ ପଢିଥିଲେ । କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ମାଟ୍ରିକ ପରୀକ୍ଷାକୁ ସରକାର ବାତିଲ କରିଦେଇଥିବାବେଳେ +୨ ୨ୟ ବର୍ଷର ବୋର୍ଡ ପରୀକ୍ଷା କରାଯିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯିବା ଦୁର୍ଭାଗ୍ୟର ବିଷୟ । କରୋନାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ କୈାଣସି ପରିସ୍ଥିତିରେ +୨ ର ଛାତ୍ର/ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରି କଟକ- ଚାନ୍ଦବାଲି ରାସ୍ତାକୁ ତିନିମୁହାଣି ଛକର କେନ୍ଦ୍ରାପଡା କଲେଜ ମୁଖ୍ୟଗେଟ ସମ୍ମୁଖରେ ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅପରାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ଅବରୋଧ କରିଦେଇଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା । ଖବର ପାଇ ଟାଉନ ଥାନା ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ଓ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଁଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।
ପରେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ସେଠାରେ ପହଂଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେବି ତାହା ଫଳପ୍ରଦ ନହେବାରୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଘଟଣାସ୍ଥଳରେ ପହଁଚି ଆନ୍ଦୋଳନରତ ଛାତ୍ରଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ ପୂର୍ବକ ଗଣ ଆନ୍ଦୋଳନକୁ ପ୍ରତ୍ୟାହାର କରି ଉଠିଯାଇଥିଲେ । ଛାତ୍ରନେତା ସ୍ୱୟଂ ରାଉତରାୟ, ସତ୍ୟବ୍ରତ ପ୍ରଜ୍ଞା ନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ମହେଶ ପୃଷ୍ଟି, ପିୟୁଶ ପ୍ରତୁ୍ୟଷ ରାଉତ, ମୋହିନୀ ଶତପଥୀ, ସତ୍ୟରଞ୍ଜନ ନାୟକ, ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର
Home / ଶିକ୍ଷା / +୨ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ଛାତ୍ର ସଂଘ ପକ୍ଷରୁ ଗଣ ଆନ୍ଦୋଳନ ଓ କଟକ – ଚାନ୍ଦବାଲି ରାସ୍ତା ଅବରୋଧ