ଭୁବନ ୨୯/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାରୁ ବର୍ତିବା ପାଇଁ ସରକାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଟୀକା ଦେବାର ବ୍ୟବସ୍ଥା କରି ଟୀକା ନେବାପାଇଁ ବ୍ୟାପକ ସଚେତନତା କରୁଥିବାରୁ ବର୍ତମାନ ୪୫ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ବ୍ୟକ୍ତି କରୋନା ଟୀକା ନେବାକୁ ଏକପ୍ରକାର ପ୍ରତିଦ୍ୱନ୍ଦିତା କରୁଥିବା ଦେଖିବାକୁ ମିଳୁଛି । ଗତ ଜାନୁଆରୀ ମାସରେ ପ୍ରଥମ ପର୍ଯ୍ୟାୟରେ ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ଟୀକା ଦେବାକୁ ବ୍ୟବସ୍ଥା ହୋଇଥିଲା ବେଳେ ସେତେବେଳେ କରୋନାର ଭୟାବହତା ନଥିବାରୁ ଅନେକ ବୟସ୍କ ଲୋକ ଟୀକା ନେଇନଥିଲେ । ପରବର୍ତୀ ସମୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ବିଶେଷ ଟୀକା ନେବାକୁ ସରକାର ଘୋଷଣା କରିବା ସହ ବିନା ଟୀକାରେ କେବଳ ପ୍ରଚାର ପାଇଁ ଟୀକାଉତ୍ସବ ପାଳନ କରିଥିଲେ । ଦୈନିକ ଶତାଧିକ ଲୋକ ଟୀକା ନେବାକୁ ଆସି ହିନସ୍ତା ହୋଇ ଫେରିବାକୁ ବାଧ୍ୟ ହେଉଥିଲେ । ଚାରିଆଡୁ ସମାଲୋଚିତ ହେବା ପରେ ସରକାର ଟୀକା ଯୋଗାଇ ଥିଲେ । ତେବେ ସପ୍ତାହରେ ମାତ୍ର ୨/୩ ଦିନ ଦୈନିକ ୪୫ ବର୍ଷରୁ ଉଦ୍ଧ୍ୱର୍ ପ୍ରଥମ ପର୍ଯ୍ୟାୟ ପାଇଁ ମାତ୍ର ଶହେ ଜଣ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୫୦ ଜଣ (ସମୁଦାୟ ୧୫୦) ଟୀକା ନେବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ନୋଟିସ ମରାଯିବା ସହିତ ସକାଳ ୮ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ଟୀକାକରଣ ହେବ ବୋଲି ସୂଚନା ଦିଆଯାଇଥିଲା । ମହାମାରୀ କରୋନାର ଦ୍ୱିତୀୟ ଲହର ଭୟାବହତା ପାଇଁ ବର୍ତମାନ ସବୁଲୋକ ଟୀକା ନେବାକୁ ବ୍ୟାକୁଳ ହେଉଛନ୍ତି । ଗତ ସପ୍ତାହରେ ମାତ୍ର ୩୦୦ ଟୀକା ଆସିଥିବା ବେଳେ ଦୁଇଦିନ ଟୀକାକରଣ ହୋଇଥିଲା । ବହୁ ଲୋକ ଟୀକା ନେବାକୁ ଆସି ନିରାଶରେ ଫେରିଥିଲେ । ବୁଧବାର ସକାଳ ୬ ଘଟିକାରୁ ଶତାଧିକ ଲୋକ ଡାକ୍ତରଖାନା ପରିସରରେ ରୁଣ୍ଡ ହୋଇଥରଲେ । ଧିରେଧିରେ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫ ଶହରୁ ଉଦ୍ଧ୍ୱର୍ ଲୋକ ଗହଳି କରିଥିଲେ । ସକାଳ ୧୦ ଘଟିକା ପର୍ଯ୍ୟନ୍ତ ଲୋକମାନେ ଟୀକାକରଣ ଗୃହ ସମ୍ମୁଖରେ ଗହଳି କରିଥିବା ବେଳେ ଖରା ବଢିବାରୁ ଗୋଲେଇ ଚିହ୍ନ ଦିଆଯାଇଥିବା ସ୍ଥାନରେ ଆଧାରକାର୍ଡ ଜେରକ୍ସ ଉପରେ ଇଟା,ପଥର ରଖିଦେଇ ଛାଇରେ ଅପେକ୍ଷା କରିଥିଲେ । ପୂର୍ବରୁ ଟୀକା ନେବାକୁ ଆସି ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଛାଇ ବ୍ୟବସ୍ଥା ହୋଇନଥିବା ବେଳେ ଆଜି ଟେଣ୍ଟ ମରାଯାଇଥିଲା । ତେବେ ପାନୀୟ ଜଳର ବ୍ୟବସ୍ଥା ନଥିବା ବେଳେ ଲୋକଙ୍କୁ ଗାଇଡ କରିବାକୁ କେହି ନଥିଲେ । କୋଭିଡ ନିୟମ ଆଦୌ ପାଳନ ହୋଇନଥିଲା କି ସାମାଜିକ ଦୂରତା ରକ୍ଷା କରାଯାଇନଥିଲା । ଏ ସଂପର୍କରେ ମେଡିକାଲ ଇନଚାର୍ଜ ଡା.ରମେଶ କୁମାର ସାହୁ ଙ୍କୁ ପଚାରିବାରୁ ସେ ନିଜର ଅକ୍ଷମତା ପ୍ରକାଶ କରି ପର୍ଯ୍ୟାପ୍ତ ପରିମାଣର ଟୀକା ଆସୁନି ଆମେ କଣ କରିବୁ ? ଯେତିକି ଆସୁଛି ଆମେ ସେତିକି ଦେଉଛୁ । ଜାନୁଆରୀ ମାସରୁ ଆଜିଯାଏ ସମୁଦାୟ ୪୬୦୦ ଲୋକଙ୍କୁ ଟୀକା ଦିଆଗଲାଣି । ତାଛଡା ଭୁବନ ବ୍ଲକର ମହୁଲପାଳ, ବାରୁଆଁ, ଓଡିଶ, ମଠକରଗୋଳା, ଜିରାଳ ଏବଂ ପଡୋଶୀ ସୁକିନ୍ଦା ବକ୍ଲର ବିଭିନ୍ନ ଡାକ୍ତରଖାନାରେ ଟୀକାକରଣ ଚାଲିଥିବା ବେଳେ ସେହି ପଂଚାୟତରୁ ବହୁ ଲୋକ ଟୀକା ନେବାକୁ ଭୁବନ ଡାକ୍ତରଖାନା ଆସୁଛନ୍ତି । ଏପରି ସ୍ଥିତିର ଆମେ କଣ କରିବୁ ? ସେମାନଙ୍କ ଆଇଡି ପ୍ରୁଫ ଦେଖି ତାଙ୍କୁ ଫେରାଇ ଦେବୁକି ? ଏସବୁ କାରଣ ପାଇଁ ଅଧିକ ସଂଖ୍ୟାରେ ଭୁବନ ଏନଏସି ଲୋକ ଟୀକା ନେଇପାରୁନାହାଁନ୍ତି । ଦିନକୁ ହାରାହାରି ୫୦୦ ଟୀକା ଆସିଲେ ସମସ୍ୟା ରୁହନ୍ତାନି ବୋଲି ଡାକ୍ତର ସାହୁ କହିଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ସଂପର୍କରେ ବିଚାର କରି ଭୁବନ ସିଏଚସି କୁ ଅଗ୍ରାଧିକାର ଭିତିରେ ଅଧିକା ଟୀକା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି ।
ତେବେ ଗତ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମୁଦାୟ ୪୩୦୦ ଲୋକ କରୋନା ଟୀକା ନେଇଥିବା ବେଳେ ଦୈନିକ ଶତାଧିକ ଲୋକ ଟୀକା ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି ଓ ସରକାରଙ୍କୁ ଦୋଷାରୋପ କରି ଗାଳିଗୁଲଜ ମଧ୍ୟ କରୁଛନ୍ତି । ଆଉ ବିନା ଟୀକାରେ ଟୀକା ଉତ୍ସବ ଫାର୍ସ ଚାଲିଛି ବୋଲି କହୁଛନ୍ତି । ମୁଖ୍ୟ କଥା ହେଉଛି ଯେଉଁମାନେ ପ୍ରଥମ ଡୋଜ ଟୀକା ନେଇଛନ୍ତି ପୁନଶ୍ଚ ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟୀକା ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ରମେଶ କୁମାର ସାହୁ ନିୟମିତ ଡୁ୍ୟଟି କରୁନଥିବା ସହିତ କିଛି ଦାୟିତ୍ୱ ବୁଝୁନଥିବା ଅଭିଯୋଗ କରି ଲୋକେ ପ୍ରବଳ ହୋହାଲ୍ଲା କରିଥିଲେ । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଜାତାରାଣୀ ମିଶ୍ର ଙ୍କପôଚାରିବାରୁ ସେ କହିଥିଲେ ଯେ,ଜିଲ୍ଲା ହେଡକ୍ୱାଟରରେ ପର୍ଯ୍ୟାପ୍ତ ଟୀକା ନାହିଁ ,ଟୀକା ଆସିଲେ ଅଗ୍ରାଧିକାର ଭିତିରେ ଭୁବନ କୁ ସର୍ବପ୍ରଥମେ ଦିଆଯିବ ବୋଲି କହିଥିଲେ । ଓଡ଼ିଶା ସମାଚାର