ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ଆଗାମୀ ଓଡିଶା ପକ୍ଷରୁ ଦାବି
ରଘୁନାଥପୁର, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ଭାଷା-ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଆଜି ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ସ୍ଥିତ ମହାତ୍ମାଗାନ୍ଧୀ ସଭାକକ୍ଷରେ କୋଭିଡ୍ – ୧୯ ନିୟମ ମାନି ସାମାଜିକ ଦୂରତ୍ୱ ରଖି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ ତମ ଜୟନ୍ତୀ ତଥା ଓଡ଼ିଆ ସ୍ୱାଭିମାନ ଦିବସ କରୋନା ପାଇଁ ସମ୍ପୁର୍ଣ୍ଣ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱ କରି ସ୍ୱାଭିମାନ ଦିବସ ଉପଲକ୍ଷେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କହିଲେ ଯେ, ମଧୁବାବୁଙ୍କର ଜୀବନ ଉକ୍ରଳର ଅର୍ଦ୍ଧଶତାବ୍ଦୀର ଇତିହାସ ଏବଂ ଜାତି ପ୍ରାଣ ମଧୁବାବୁ ଥିଲେ ଓଡିଆ ନବଜାଗରଣର ପୁରୋଧା, ଓଡ଼ିଆ ଜାତି ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ ଯୋଗଦେଇ ଉତ୍କଳକୁ ବିଶ୍ୱସ୍ତରରେ ପହଁଚାଇବା ପାଇଁ ମଧୁବାବୁଙ୍କର ନିରବଚ୍ଛିନ୍ନ ପ୍ରଚେଷ୍ଟା ହିଁ ତାଙ୍କୁ ଉତ୍କଳ ଗୌରବ ଉପାଧୀରେ ଭୁଷିତ କରିଅଛି ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ ଯୋଗଦେଇ ଜାତିପ୍ରାଣ ମଧୁବାବୁଙ୍କ ଯୋଗୁ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହୋଇପାରିଛି ଏବଂ ଓଡିଆ ଭାଷା ଏକ ସ୍ୱତନ୍ତ୍ର ଭାଷାର ପରିଚୟ ପାଇ ପାରିଛି ବୋଲି କହିଥିଲେ । ମଧୁବାବୁଙ୍କ ଆଦର୍ଶକୁ ଗ୍ରହଣ କରି ଓଡିଆ ଜାତି ନିଜ ଜାତୀୟତା ଭାବ ସ୍ୱାଭିମାନ ବଜାୟ ରଖିଲେ ଓଡିଆ ଜାତି ଉଚ୍ଚସ୍ତରରେ ପହଂଚିବ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ ଯୋଗଦେଇ ମଧୁବାବୁ ଥିଲେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ । ଏଥିରେ ସମ୍ମାନୀତ ଅତିଥି ଭାବେ କୁର୍ତାଙ୍ଗ ସ୍ୱାମୀ ଅରୁପାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇ ଓଡିଆ ଜାତିର ନବଜାଗରଣ ପାଇଁ ମଧୁବାବୁ ତାଙ୍କ ଜୀବନର ସର୍ବସ୍ୱ ତ୍ୟାଗ କରିଥିଲେ, ତାହା ଚିରସ୍ମରଣୀୟ ଏବଂ ଓଡିଆ ଜାତି ତାଙ୍କ ନିକଟରେ ଚିର ଋଣୀ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସଂପାଦକ ଅଧ୍ୟାପକ ଆଶିଷ ଚକ୍ରବର୍ତୀ, ଶିକ୍ଷାବିତ୍ ସଦାଶିବ ବିଶ୍ୱାଳ, ଶିକ୍ଷାବିତ୍ ଯଦୁନାଥ ଜେନା, ଅଧ୍ୟାପକ ଭଗବାନ ବିଶ୍ୱାଳ, ଶିକ୍ଷକନେତା ଜୟପ୍ରକାଶ ପଣ୍ଡା, ଶିକ୍ଷକନେତା ନିର୍ମଳେନ୍ଦୁ ଶୋମ୍, ଶିକ୍ଷକନେତା ଉମେଶ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ସେକ୍ରେଟାରୀ ରବିନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ବିଜନ ମହାପାତ୍ର ଯୋଗଦେଇ ମଧୁବାବୁଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ଦିଆଯାଇନଥିବାରୁ କ୍ଷୋଭପ୍ରକାଶ କରିବା ସହ ତାଙ୍କୁ ତୁରନ୍ତ ଭାରତରତ୍ନ ଦିଆଯିବାକୁ ଦାବି କରିଥିଲେ । ଓଡ଼ିଶା ସମାଚାର