ରଘୁନାଥପୁର,୨୮/୦୪/୨୦୨୧(ଓଡ଼ିଶା ସମାଚାର)-ତାଳଦଣ୍ଡା ମୁଖ୍ୟ କେନାଲ ଉପରେ ମାଣପୁର ନିକଟରେ ଥିବା ଭଙ୍ଗା ଦଦରା ବାଉଁଶଚାର ହିଁ ଲୋକମାନଙ୍କ ନାଳ ପାରିହେବାକୁ ଏକମାତ୍ର ଭରସା । ଏହି ଚାରର ବାଉଁଶ ଗୁଡିକ ଦଦରା ଅବସ୍ଥାରେ ରହିଛି ମାତ୍ର ଲୋକମାନେ ଅନ୍ୟ ଉପାୟ ନ ପାଇ ଏହି ଦଦରା ବିପଦପୂର୍ଣ୍ଣ ବାଉଁଶ ଚାରରେ କେନାଲ ଆରପାଶ୍ୱର୍କୁ ଯାତାୟତ କରୁଅଛନ୍ତି । ଏଠାରେ ଢଳେଇ ପୋଲ ନଥିବାରୁ ମାଣପୁର ଗ୍ରାମର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ମାଣପୁର ଗ୍ରାମର ଅଧିକାଂଶ ଚାଷଜମି କେନାଲ ଆରପାଶ୍ୱର୍ରେ ଥିବା ପାଇକା ନଦୀ କୂଳ ପଠାରେ ରହିଛି । ସେଥିପାଇଁ ପ୍ରତିଦିନ ଶହ ଶହ ଲୋକ ଏହି କେନାଲ ଆର ପାଶ୍ୱର୍କୁ ଚାଷ କାର୍ଯ୍ୟ ନିମନ୍ତେ ଯାଇଥାନ୍ତି । ମାତ୍ର ଏଠାରେ ଢଳେଇ ପୋଲ କରାଯାଇ ନଥିବାରୁ ଗ୍ରାମବାସୀ ମାନେ ଚାନ୍ଦା କରି ବାଉଁଶରେ ଏକ ଚାର ନିର୍ମାଣ କରି ଯାତାୟତ କରୁଅଛନ୍ତି । ପ୍ରକାଶ ଥାଉକି, ଏସିଆନ ଡେଭ୍ଲପମେଂଟ ବ୍ୟାଙ୍କ ସହାୟତାରେ ତାଳଦଣ୍ଡା କେନାଲ ପୁର୍ନଉଦ୍ଧାର କାର୍ଯ୍ୟ ୧୫୦ କୋଟି ଟଙ୍କା ବ୍ୟୟରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଅଛି । ଏହି କେନାଲ ଉପରେ ବିଭିନ୍ନ ସ୍ଥାନରେ ଥିବା ଭଙ୍ଗା କାଠ ଓ ବାଉଁଶ ପୋଲ ସ୍ଥାନରେ ଢଳେଇପୋଲ ନିର୍ମାଣ କରାଯାଇଅଛି । ମାତ୍ର ଏହି କେନାଲର ମାଣପୁର ନିକଟରେ ଲୋକମାନେ ନାଳପାରି ହେବା ନିମନ୍ତେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ଚାର ରହିଥିଲେ ମଧ୍ୟ ଏଠାରେ ଢଳେଇ ପୋଲ କରାଯାଉନାହିଁ । ବିଭାଗୀୟ ଉଚ୍ଚକର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ମାଣପୁର ନିକଟରେ ଏକ ଢଳେଇ ପୋଲ ନିର୍ମାଣ କଲେ ଏହି ଗ୍ରାମର ଲୋକମାନେ ଉପକୃତ ହେବା ସହିତ ଅନ୍ୟାନ୍ୟ ପାଶ୍ୱର୍ବର୍ତୀ ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ । ଓଡ଼ିଶା ସମାଚାର