କେନ୍ଦ୍ରାପଡ଼ା, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୧, ୨ ଓ ୩ ନମ୍ବର ୱାର୍ଡର ଅଧିବାସୀମାନେ ଉପଜିଲ୍ଲାପାଳ ତଥା ପୌର ପ୍ରଶାସକ ନିରଞ୍ଜନ ବେହେରାଙ୍କୁ ସାକ୍ଷାତ କରି ସେହି ୩ଟି ୱାର୍ଡରୁ ବର୍ଷାଜଳ ନିଷ୍କାସନ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଅଂଚଳର ଉଦବୃତ ଜଳ ନିଷ୍କାସନ ପାଇଁ ଥିବା ସମସ୍ତ ପଥ ଅବରୋଧ ହୋଇଯାଇଥିବାରୁ ବର୍ଷା ଦିନେ ଜଳ ନିଷ୍କାସନ ହୋଇପାରୁନଥିବାରୁ ସଂପୃକ୍ତ ଅଂଚଳର ଅଧିବାସୀମାନେ ଦୀର୍ଘ ୧୦ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଏସମ୍ପର୍କରେ ଅଂଚଳବାସୀ ପୌର କର୍ତୃପକ୍ଷ, ଜିଲ୍ଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ବି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଯାହା ଫଳରେ ଅଂଚଳବାସୀ ବର୍ଷା ଋତୁରେ ୩/୪ମାସ କାଳ ଜଳ ଘେରରେ ରହିବାକୁ ବାଧ୍ୟ ହେଉଛନ୍ତି । ଜଳ ନିଷ୍କାସନ ହେଉନଥିବାରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ବେଢା ଭିତରେ ମଧ୍ୟ ଜଳ ଜମି ରହୁଛି । ଗତ ଜାନୁଆରୀମାସ ୪ତାରିଖରେ ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଆଂଚଳିକ ବାଣିଜ୍ୟ ସମବାୟ ସମିତି(ଆର.ସି.ଏମ.ଏସ.)ଛକ ନିକଟରେ ଥିବା ଗୋଚର ଜମି ଦେଇ ଏହି ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ସେଠାରେ ଘରଡିହ ଥିବା ବ୍ୟକ୍ତିଙ୍କୁ ଭୂମିହୀନ ଦର୍ଶାଇ ପୌର କର୍ତୃପକ୍ଷ ଜମି ପଟ୍ଟା ପ୍ରଦାନ ସହ ସରକାରଙ୍କ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଆର.ସି.ଏମ.ଏସ.ଛକର ମୁଖ୍ୟ ରାସ୍ତାରେ ହୋମ ପାଇପ ବସାଇଲେ ସେହି ଉଦବୃତ ଜଳ ପାଟ ମଧ୍ୟକୁ ସ୍ୱଛନ୍ଦରେ ନିଷ୍କାସିତ ହୋଇପାରିବ । ତେଣୁ ଉପଜିଲ୍ଲାପାଳ ନିଜେ ସଂପୃକ୍ତ ଘଟଣାସ୍ଥଳ ପରିଦର୍ଶନ କରି ବର୍ଷାଋତୁ ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଭିକାରୀ ଚରଣ ମହାନ୍ତି, ଡଃ.ବଳରାମ ଲେଙ୍କା, କବିନ୍ଦ୍ର କୁମାର ଲେଙ୍କା, ଧିରେନ କୁମାର ପଣ୍ଡା, ବିପିନ କିଶୋର ନାୟକ, ପ୍ରମୋଦ କୁମାର ସାହୁ, ଅଜିତ କୁମାର ରାୟ, ପରେଶ ଚନ୍ଦ୍ର ସାମନ୍ତ, ପଦାରବିନ୍ଦ ସ୍ୱାଇଁ, ସଞ୍ଜୟ ସାମଲ, ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର