Tuesday , March 28 2023
Breaking News
Home / ବିଶେଷ / କରୋନା ସମୟରେ ମଧ୍ୟବିତଙ୍କୁ ମହଙ୍ଗା ମାଡ : ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘ ପକ୍ଷରୁ ଦାବିପତ୍ର

କରୋନା ସମୟରେ ମଧ୍ୟବିତଙ୍କୁ ମହଙ୍ଗା ମାଡ : ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘ ପକ୍ଷରୁ ଦାବିପତ୍ର

କେନ୍ଦ୍ରାପଡ଼ା,୨୮/୦୪/୨୦୨୧(ଓଡ଼ିଶା ସମାଚାର)- ଦେଶବ୍ୟାପି ଦେଖାଦେଇଥିବା କରୋନା ତାଣ୍ଡବ ଓ ଭୟାବହତା ମଧ୍ୟରେ ନିଜର ଜୀବନ ଜୀବିକା ପାଇଁ ମୃତୁ୍ୟ ସହିତ ସଂଗ୍ରାମ କରୁଛି ମଣିଷ । ଏହି ପରି ଏକ ବିପତି ସମୟରେ ଦୈନନ୍ଦିନ ନିତ୍ୟ ବ୍ୟବହୃତ ସାମଗ୍ରୀର ଅହେତୁକ ଦରବୃଦ୍ଧି ମଧ୍ୟବିତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘର ସଭାପତି ପ୍ରଦୀପ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମହାସଂଘର କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ଉପସଭାପତି ସମ୍ପଦ କୁମାର ସ୍ୱାଇଁ, ସମ୍ପାଦକ ହରେକୃଷ୍ଣ ପାତ୍ର ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦେଶରେ କ୍ରମାଗତ ଭାବରେ ହେଉଥିବା ଲକଡାଉନର ପ୍ରଭାବରେ ଦେଶର ଅର୍ଥନୀତି ମାନ୍ଦା ହୋଇଥିବା ଓ ବେରୋଜଗାରୀ ବୃଦ୍ଧି ପାଇବା ସହ ଲୋକଙ୍କ ଆୟ ହ୍ରାସ ପାଇଥିବା ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ମଧ୍ୟବି ବର୍ଗର ସାଧାରଣ ଖାଉଟିଙ୍କ ଉପରେ ଅର୍ଥନୈତିକ ଚାପ ସୃଷ୍ଟି କରିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ସୁଦ୍ଧା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି କମିବାର ନା ଧରୁନାହିଁ । ରାଜଧାନୀ ଭୂବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ଟଙ୍କା ୧୦ପଇସା ଥିବା ବେଳେ ଡିଜେଲ ଦର ୮୭ଟଙ୍କା ୮୭ପଇସା ଓ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୮୩୬ଟଙ୍କା ୨୦ପଇସା ରହିଛି ଯାହା ମଧ୍ୟବିତ ପରିବାରର ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ବଢାଇ ଦେଇଛି । ସେହିପରି ଦୈନନ୍ଦିନ ଖାଉଟି ସାମଗ୍ରୀ ଡାଲି କିଲୋ ୧୨୦ଟଙ୍କା, ଖାଇବା ତେଲ ଲିଟର ୧୭୦ଟଙ୍କାରେ ପହଁଚିଥିବା ବେଳେ ଅଟା କିଲୋ ୪୦ଟଙ୍କାରେ ପହଂଚିଲାଣି । ଏଥିସହିତ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ବି ଆକାଶ ଛୁଆଁ ହେଲାଣି । ଏହିସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଉପରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ ଯାହାର ଫଳ ସ୍ୱରୂପ ଅସାଧୁ ବ୍ୟବସାୟୀମାନେ କଳାବଜାରୀ ଆରମ୍ଭ କରିଦେଇଛନ୍ତି । ମହାମାରୀ କୋଭିଡ ସମୟରେ ଗତବର୍ଷ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଦ୍ୱିତୀୟ ଲହର ସମୟରେ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ଜାତୀୟ ବିପତି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ଏକ ସ୍ମାରକପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ଦରବୃଦ୍ଧି ହ୍ରାସ ପାଇଁ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.