ଦୁବାଇ / ଭୁବନେଶ୍ୱର ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସମାଜ ୟୁନାଇଟେଡ ଆରବ ଏମିରେଟସ (ଓ.ଏସ.ୟୁ.ଏ.ଇ)ର ଏକାଦଶତମ ବାର୍ଷିକ ଉତ୍ସବ ଅନଲାଇନ ଯୋଗେ ପାଳନ ପାଇଁ ବ୍ୟାପକଭାବେ ପ୍ରସ୍ତୁତି ପର୍ବ ଚାଲିଥିବା ଜଣାଯାଇଛି । ଏହି ଅବସରରେ ଓ.ଏସ.ୟୁ.ଏ.ଇ ପକ୍ଷରୁ ଆସନ୍ତା ଏପ୍ରିଲ ୩୦ ତାରିଖ ଦିନ ଭାରତୀୟ ସମୟ ସନ୍ଧ୍ୟା ୬.୩୦ ମିନିଟରେ ମହାସମାରୋହରେ ଉତ୍କଳ ଦିବସ ଆୟୋଜନ କରାଯାଉଥିବାର ସୂଚନା ମିଳିଛି । ‘ଉତ୍ସବ’ ଶୀର୍ଷକ ଏହି ଭର୍ଚ୍ଚୁଆଲ ସମାବେଶରେ ସମଗ୍ର ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ବୋଲି ଓ.ଏସ.ୟୁ.ଏ.ଇର ସଭାପତି ଅମୀୟ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ ଜଣାଇଛନ୍ତି । ଏହି ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାଦୁନିଆର ପ୍ରଖ୍ୟାତ ତାରକାମାନେ ସାମିଲ ହେବେ ବୋଲି ପ୍ରାପ୍ତ ସମ୍ବାଦରୁ ପ୍ରକାଶ ।
୨୦୧୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ଓ.ଏସ.ୟୁ.ଏ.ଇ ମଧ୍ୟ ପ୍ରାଚ୍ୟ ଏବଂ ଉତର ଆଫ୍ରିକୀୟ ଅଂଚଳରେ ସବୁଠୁ ବୃହତ ପ୍ରବାସୀ ଓଡ଼ିଆ ସଂଗଠନର ମାନ୍ୟତା ଲାଭ କରିଛି । ସମାଜ ଲଗାତର ଭାବେ ଖୁବ୍ ଆଡ଼ମ୍ବର ସହକାରେ ଜଗନ୍ନାଥଙ୍କର ରଥଯାତ୍ରା ଏବଂ ଗଣେଶ ପୂଜା ଉତ୍ସବ ପାଳନ କରି ଆସୁଛି । ଓ.ଏସ.ୟୁ.ଏ.ଇର ସମାଜସେବା କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ବିଦେଶ ଭୂମିରେ ଦୁଃଖ ଦୁର୍ଦ୍ଧଶା ଗ୍ରସ୍ତ ଓଡ଼ିଆ ଭାଇ ଭଉଣୀ ଓ ସେମାନଙ୍କ ପରିବାର ପାଇଁ ଆହାର ଓ ବାସସ୍ଥାନର ବ୍ୟବସ୍ଥା କରିବା ତଥା ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରକ୍ତଦାନ ଶିବିର ଆଦି ଆୟୋଜନ କରିବା ଅନ୍ତର୍ଭୁକ୍ତ । ଏବେ ଚାଲିଥିବା ମହାମାରୀ କାଳର ପ୍ରାରମ୍ଭରେ ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲର ସହଯୋଗରେ ଓ.ଏସ.ୟୁ.ଏ.ଇ, ସେଠାରେ ଅଟକି ରହିଥିବା ପ୍ରାୟ ୨୦୦୦ରୁ ଊଦ୍ଧ୍ୱର୍ ପ୍ରବାସୀ ଶ୍ରମିକଙ୍କୁ ଚାଟାର୍ଡ ବିମାନ ଭଡ଼ା କରି ତଥା ବନ୍ଦେ ଭାରତ ମିସନ ଜରିଆରେ ଦୁବାଇରୁ ସୁରକ୍ଷିତ ଭାବେ ଭୁବନେଶବରକୁ ପଠାଇବାର ମହତ କାର୍ଯ୍ୟ କରି ବହୁ ପ୍ରଶଂସିତ ହୋଇଛି ।
ଉତ୍କଳ ଦିବସ ଓ.ଏସ.ୟୁ.ଏ.ଇର ସବୁଠୁ ପ୍ରତୀକ୍ଷିତ, ବହୁଚର୍ଚ୍ଚିତ ଏବଂ ବ୍ୟାପକ ମାତ୍ରାରେ ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମ ମଧ୍ୟରେ ଧରାଯାଇଥାଏ । ଏବର୍ଷର ଭିଡିଓ କନଫରେନସିଂ ସଭାରେ ବହୁ ଦେଶର ଓଡ଼ିଆ ସମାଜର କର୍ମକର୍ତାମାନେ ଭାଗନେବାକୁ ଯାଉଥିବାର ଖବର ହସ୍ତଗତ ହୋଇଛି ।
ସଭା ପରେପରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ସମାଜ ୟୁ.ଏ.ଇର ବର୍ଷୀୟାନ ସଦସ୍ୟମାନଙ୍କ ସହିତ ସେମାନଙ୍କର ପିଲାମାନେ ମଧ୍ୟ ନିଜର ପ୍ରତିଭା ଓ ପାରଦର୍ଶିତାକୁ ପ୍ରଦର୍ଶନ କରିବାକୁ ଯାଉଥିବା ଜଣାଯାଇଛି ।
ମୁଖ୍ୟ ଅତିଥି ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଏହି ଉତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମହୋତ୍ସବର ଅନ୍ୟାନ୍ୟ ସମ୍ନାନୀୟ ଅତିଥିମାନଙ୍କ ମଧ୍ୟରେ ଦୁବାଇସ୍ଥିତ ଭାରତୀୟ କାର୍ଯ୍ୟକାରୀ କନସଲ ଜେନେରାଲ ରାମ କୁମାର ଥଙ୍ଗରାଜ, ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀ, ରାଜ୍ୟ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ, କେରଳର ପୁଲିସ ଡିଜି ଲୋକନାଥ ବେହେରା, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଧେଶକ ନୀଳମାଧବ ପଣ୍ଡା, ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାନ୍ତ ରଞ୍ଜନ ଏବଂ ଇଂଟରନ୍ୟାସନାଲ ସିପିଂ ଏଣ୍ଡ ଲଜିଷ୍ଟିକ୍ସ ଏଫ.ଜେଡ.ଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ୟାପଟେନ ଏସ.ଆର. ପଟ୍ଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।
ବହୁବିଧ ସାଂସ୍କୃତିକ ପ୍ରସ୍ତୁତି ମଧ୍ୟରେ ଦର୍ଶନମାନଙ୍କୁ ସେମାନଙ୍କର ଅନନ୍ୟ ଓ ଆକର୍ଷକ କଳାଚାତୁର୍ଯ୍ୟରେ ମନ୍ତ୍ରମୁଗ୍ଧ କରିବାକୁ ଯାଉଥିବା ଅଗ୍ରଗଣ୍ୟ କଳାକାରମାନଙ୍କ ସୂଚୀରେ ବିଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀ, ହାସ୍ୟ ସମ୍ରାଟ ଜ୍ଞାନ ହୋତା, ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତୀ ଓ ବିରଜା ରଥ ଏବଂ ନୃତ୍ୟ ବିଷାରଦ ସାସ୍ୱତ ଯୋଶୀ ପ୍ରମୁଖ ସ୍ଥାନ ପାଇଥିବା ଆୟୋଜକମାନଙ୍କ ସୂତ୍ରରୁ ପ୍ରକାଶ ।
ସୁଦକ୍ଷ ଓ ସୃଜନଶୀଳ ସଂଯୋଜକ ସୁଧାଶ୍ରୀ ଦାଶ ସମଗ୍ର କାର୍ଯ୍ୟକ୍ରମକୁ ଉପସ୍ଥାପନା କରିବେ । ଓଡ଼ିଶା ସମାଚାର