କେନ୍ଦ୍ରାପଡ଼ା, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ଓଡିଶା ସୂଚନା ଅଧିକାର ଅଭିଯାନ(ଓସା)ର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଲୁଥେରାନ ଯୌନ କିଳେଙ୍କାରୀ ଘଟଣାର କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ଦାବି କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଏକ ପତ୍ରକାର ସମ୍ମିଳନୀରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା)ର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କର ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନର ଜନୈକ ମହିଳା କର୍ମଚାରୀଙ୍କୁ ବାରମ୍ବାର ଦୁଷ୍କର୍ମ ପରେ ଏକ ଶିଶୁପୁତ୍ର ଜନ୍ମ ହେବା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ, ସ୍ପର୍ଶକାତର ଓ ସମ୍ବେଦନଶୀଳ ମାମଲାରେ ଏତଲା ରୁଜୁ ହେବାର ୨୧ଦିନ ପରେବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଘଟଣା ପୋଲିସର ନୀରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଥିଲେ । ପିଡିତାଙ୍କ ଭାଇଙ୍କ ଅଭିଯୋଗ ଉପରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପିଡିତାଙ୍କ ସହ ସଭାପତିଙ୍କ ଭାଇ ଦୁଷ୍କର୍ମ କରିବାରୁ ଶିଶୁପୁତ୍ର ଜନ୍ମ ହେବା ଭଳି ସଂଗୀନ ଅଭିଯୋଗ ଉପରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ । ଲୁଥେରାନରେ ସରକାରୀ ଅନୁଦାନର ଆର୍ଥିକ ଅନିୟମିତତା ହୋଇଥିବା ଏବଂ ପ୍ରାୟ ୫ଏକର ସରକାରୀ ଜମିକୁ ଲୁଥେରାନ ଜବରଦଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏତଦବ୍ୟତିତ ପିଡିତାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କ ଠାରୁ ପୂର୍ବରୁ ଜନ୍ମ ନେଇଥିବା ଦୁଇ ଶିଶୁ ସନ୍ତାନଙ୍କୁ ବିକ୍ରୀ କରିଦିଆଯାଇଛି । ସେ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ତଦନ୍ତ କରିନଥିବା ଅଭିଯୋଗ ହୋଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲୁଥେରାନକୁ ଆସି ତଦନ୍ତ କରିବା ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲୁଥେରାନର ସଭାପତି, ସି.ସି.ଆଇ.ର ସୁପରିନଟେଣ୍ଡେଂଟ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପି.ଓ.ଆଇ.ସି.ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯେଉଁ ନିର୍ଦେଶ ଦେଇଥିଲେ ସେହି ନିର୍ଦେଶ ଉପରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପଛରେ କାରଣ କ’ଣ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପ୍ରଧାନ । ଏହି ଜଘନ୍ୟ ଘଟଣାରେ କେବଳ ଲୁଥେରାନର କର୍ମକର୍ତା ନୁହନ୍ତି ବହୁ ବରିଷ୍ଠ ସରକାରୀ ଅଧିକାରୀ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପିଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଓସା ଦାବି କରିଛି । ଏଥିସହିତ ପୋଲିସ ଦ୍ୱାରା ନୀରପେକ୍ଷ ତଦନ୍ତ ସମ୍ଭବ ହେଉନଥିବାରୁ ଏ ସମସ୍ତ ଘଟଣାର କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଯିବା ସହ ଅର୍ଥନୈତିକ ଅପରାଧ ଶାଖା(ଇଡି) ଦ୍ୱାରା ଲୁଥେରାନର ଆର୍ଥିକ ଅନିୟମିତତା ସମ୍ପର୍କରେ ତଦନ୍ତ କରାଯିବାକୁ ଓସା ପକ୍ଷରୁ ଦାବି କରିଛି । ଏହି ପତ୍ରକାର ସମ୍ମଳନୀରେ ପ୍ରତାପ ଚନ୍ଦ୍ର ମହାନ୍ତି, ଆଳୟ ସାମନ୍ତରାୟ, ନିବେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର