ଭୁବନେଶ୍ୱର, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ତାର କାୟାବିସ୍ତାର କରିଚାଲିଛି । ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା ପ୍ରଥମ ଲହରୀର ଭୟ ଲୋକଙ୍କ ମନରୁ ଲିଭିନଥିବା ବେଳେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କ୍ଷିପ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ସମସ୍ତ କଟକଣା ସେ୍ୱ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଓଡ଼ିଶାରେ ଦୈନିକ ୬ ହଜାରରୁ ୭ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭ଶହରୁ ୮ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଲୋକମାନେ ଏକ ଭୟର ବାତାବରଣ ମଧ୍ୟରେ ଗତିକରି ଚାଲିଛନ୍ତି ।
କରୋନାର ଏଭଳି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି ରାଜଧାନୀର ବିଭିନ୍ନ ଅଂଚଳ ବୁଲି ସରକାରୀ ଓ ବେସରକାରୀ ଅଫିସ୍, ବସଷ୍ଟାଣ୍ଡ, ସରକାରୀ, ବେସରକାରୀ ବସ୍, ରେଲୱେ ଷ୍ଟେସନ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ରହଣୀସ୍ଥଳୀ, ସୂଚନା ଭବନ, ସାମ୍ବାଦିକ ଭବନ, ରବୀନ୍ଦ୍ର ମଣ୍ଡପ, ବସ୍ତିଅଂଚଳ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ମାଗଣାରେ ସାନିଟାଇଜ କରିବା ସହିତ ଲୋକଙ୍କୁ ମାସ୍କ, ସାନିଟାଇଜର, ସାବୁନ ବଂଟନ କରି କରୋନା ଠାରୁ ଦୂରେଇ ରହିବା ପାଇ ସଚେତନ କରିବା ସହିତ ଅକ୍ସିମିଟର ଦ୍ୱାରା ଲୋକମାନଙ୍କ ଅମ୍ଲଜାନ ପରୀକ୍ଷା କରାଇଥିଲେ । ଓଡ଼ିଶା ସମାଚାର