ଭୁବନେଶ୍ୱର, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତିର ସମୀକ୍ଷା କରି ଏହାର ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ କହିଛନ୍ତି। ମୁଖ୍ୟ ଶାସନ ସଚିବ ଏହିସବୁ କାର୍ୟ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଏହିଭଳି ସଂଗଠନଗୁଡିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ୟ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ୟ୍ୟ କରୁଛନ୍ତି। ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଓଡ଼ିଶା ସମାଚାର