ପାଟକୁରା, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ କରୋନା ସଂଙ୍କ୍ରମଣ ରୁ ସୁରକ୍ଷା ଦେବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କରୋନା ଟୀକା ଦିଆଯିବା ସହିତ କରୋନା ଟେଷ୍ଟିଂ କରାଯାଉଛି । ପାଟକୁରା ସରକାରୀ ହାଇସ୍କୁଲ ପରିସରରେ କରୋନା କେଆର ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ପ୍ରଥମ ପର୍ଯ୍ୟାୟରେ କରୋନା ଲକ୍ଷଣ ଥିବା ରୋଗୀ ମାନଙ୍କୁ ପ୍ରଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ୬୦ ଟି ବେଡ଼ ପକାଯିବା ସହିତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ , ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗି କରୋନା କେଆର ହସପିଟାଲ ବୁଲି ଦେଖିଛନ୍ତି । ତହସିଲଦାର ଧରଣୀଧର ବେହେରା, ଗରଦପୁର, କୋରୁଆ,କଳାବୁଦା,ପାଟକୁରା , ନୂଆପଡ଼ା ଆଦଦି ବଜାରରେ ପହଂଚି କରୋନା ଗାଇଡ଼ ଲାଇନ ବ୍ରବସାୟୀମାନେ ପାଳନ କରୁଛନ୍ତି କି ନାଁ ତାର ତଦାରଖ କରୁଛନ୍ତି । କରୋନାର ୨ୟ ଲହର ଚାଲିଥିବାରୁ ଲୋକମାନେ ଅତି ଆବଶ୍ୟକ ନହେଲେ ଘରୁ ପଦକୁ ନଯିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ସର୍ବଦା ମାସ୍କ ପରିଧାନ କରିବା , ସାମାଜିକ ଦୂରତା ବଜାୟ ରଖିବା , ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ପାଟକୁରା ଥାନାର ସମ୍ମୁଖ ଫାଟକ ବନ୍ଦ ରଖାଯାଇ ସେଠାରେ ନୋଁ ମାସ୍କ ନୋଁ ଏନ୍ଟ୍ରି ଲେଖାଯାଇଛି । ଫାଟକ ନିକଟରେ ଏକ ଅଭିଯୋଗ ବାକ୍ସ ରଖାଯାଇଛି । ପାଟକୁରା ବଜାରର ବ୍ୟବସାୟ ପ୍ରତିଷ୍ଠାନ ମାନେ ନିଜ ନିଜ ଦୋକାନ ସମ୍ମୁଖରେ ଚୂନରେ ମଣ୍ଡଳ କାଟିଛନ୍ତି । ଏବଂ ଦୋକାନ ସମ୍ମୁଖରେ ରସି ବାନ୍ଧି ପ୍ରତିବନ୍ଧକ ଲଗାଇଛନ୍ତି । ପାଟକୁରା ସାପ୍ତାହିକ ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଗତ ବର୍ଷ ଏହି ଦିନ ମାନଙ୍କରେ କରୋନା ଟ୍ରେସିଙ୍ଗ, ଟ୍ରାକିଙ୍ଗ, ଟେଷ୍ଟିଂ ଯୋରଦାର ହେଉଥିଲା । ବ୍ଲକ୍ ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ପଂଚାୟତ ମାନଙ୍କରେ କ୍ୟାମ୍ପ କରାଯାଇ କରୋନା ଟେଷ୍ଟ କରାଯାଉଥିଲା । ବ୍ଲକ୍ ର ୧୮ ଟି ପଂଚାୟତର ବିଦ୍ୟାଳୟ ମାନଙ୍କରେ ୩ ହଜାର ରୁ ଉଦ୍ଧ୍ୱର୍ ବେଡ଼ ସ୍ଥାପନ କରାଯାଇଥିଲା । କରୋନା କେଆର ସେଂଟର ମାନଙ୍କରେ ବାହାରୁ ଆସୁଥିବା ଅଢ଼େଇ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ମାନଙ୍କୁ କ୍ୱାରେଂଟାଇନ ରେ ରଖାଯାଇଥିଲା । କିନ୍ତୁୂ ଏବେ ପାଟକୁରା ଗରଦପୁର ଅଂଚଳରେ କରୋନାର ସେମିତି ସ୍ଥିତି ଉପୁଜିନାହିଁ ବୋଲି ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗି ସୂଚନା ଦେଇଛନ୍ତି । ଅଳ୍ପ କେତୋଟି ଲକ୍ଷଣଯୁକ୍ତ କରୋନା ରୋଗୀଙ୍କୁ କେବଳ ହୋମ ଆଇସୋଲେସନ ରେ ରହି ଚକିତ୍ସିତ ହେବାକୁ କୁହାଯାଇଛି । ପ୍ରଥମ ଡ଼ୋଜ ଟୀକା ନେଇଥିବା ବ୍ୟକ୍ତିମାନଙ୍କୁ ୨ ୟ ଡ଼ୋଜଟୀକା ପ୍ରଦାନ କରାଯାଉଛି । ହେଲେ ଆବଶ୍ୟକ ପରିମାଣର ଟୀକା ଆସୁନଥିବାରୁ ବିଭିନ୍ନ ଟୀକା କରଣ କେନ୍ଦରୁ ୨ ୟ ଡ଼ୋଜ ଟୀକା ନେବାକୁ ଆସି ଲୋକମାନେ ଫେରୁଛନ୍ତି । ସପ୍ତାହକୁ ମାତ୍ର ୫୦ ରୁ ୧୦୦ ଟୀକା ବିଭିନ୍ନ ଟୀକା କରଣ କେନ୍ଦ୍ରକୁ ପଠାଯାଉଛି , ଯାହା ଯଥେଷ୍ଟ ନୁହେଁ ଓ ଆବଶ୍ୟକତା ଠାରୁ ବହୁତ କମ ୍ । ମେଁ ମାସ ୧ମ ରୁ ୧୮ ବର୍ଷ ରୁ ଉଦ୍ଧ୍ୱର୍ ନାଗରିକମାନଙ୍କୁ ଟୀକା ପ୍ରଦାନ ପାଇଁ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ପଂଜିକରଣ କରାଯାଇ ଟୀକା ଉପଲବ୍ଧ ହେଲେ ଟୀକା କରଣ ସୁଚାରୂରୂପେ ଚାଲିବ ବୋଲୀ ଡ଼ ସଢ଼ଙ୍ଗି ପ୍ରକାଶ କରିଛନ୍ତି । ହେଲେ ପଂଜିକରଣ ପଦ୍ଧତିରେ ପଂଜିକରଣ କରିବାକୁ ଯୁବ ଗୋଷ୍ଠି ଆଗ୍ରହ ପ୍ରକାଶ କରୁନଥିବା ଜଣାଯାଇଛି । ଟୀକା କରଣ ପାଇଁ ପଂଜିକରଣ ବ୍ୟବସ୍ଥାକୁ ସରଳିକରଣ କରାଯିବାକୁ ବୁଦ୍ଧିଜିବୀ ମହଲ ମତ ଦେଉଛନ୍ତି । ଓଡ଼ିଶା ସମାଚାର