ପାରାଦୀପ ୨୬/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରରେ ଅନୁକମ୍ପାମୂଳକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ଗତ ମାର୍ଚ୍ଚ ୧୭ ତାରିଖରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନର କର୍ମକର୍ତା ଏବଂ ବନ୍ଦର ସିନିୟର ଡେପୁଟି ସେକ୍ରେଟାରୀ ଓ ଡେପୁଟି ସେକ୍ରେଟାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସିଜିଆଇଟି ନିର୍ଦ୍ଧେଶନାମାକୁ କାର୍ଯ୍ୟକାରୀ ଓ ବଳବତର କରିବା ଲାଗି ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ୟୁନିୟନ ତରଫରୁ ଉପସ୍ଥାପିତ କରାଯାଇଥିଲା । ଉକ୍ତ ବିଷୟବସ୍ତୁକୁ ବିସ୍ତାରିତ ଭାବେ ଆଲୋଚନା କରାଯାଇ ୧୫ ଦିନ ମଧ୍ୟରେ ଅନୁକମ୍ପାମୂଳକ କର୍ମଚାରୀ ମାନଙ୍କର ଏକ ସିନିୟରୀଟି ଲିଷ୍ଟ୍ ପାରାଦୀପ ବନ୍ଦରର ୱେବସାଇଟ୍ ରେ ପ୍ରକାଶ କରାଯିବାକୁ ସ୍ଥିର କରାଯାଇଥିଲା । ଏହା ପରେ ଅନ୍ୟ ଦାବର ଗୁଡିକ ପ୍ରତି ପର୍ଯ୍ୟାୟକ୍ରମେ ବିଚାର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଗତ ଅପ୍ରେଲ ୧୩, ୨୦୨୧ରେ ବନ୍ଦରର ୱେବସାଇଟ୍ ରେ ଅନୁକମ୍ପାମୂଳକ କର୍ମଚାରୀ ମାନଙ୍କର ସିନିୟରୀଟି ଲିଷ୍ଟ୍ ପ୍ରକାଶ ପାଇଛି । ଏବଂ ୪୫ ଦିନ ମଧ୍ୟରେ ଏହି କର୍ମଚାରୀମାନେ ନିଜର କୌଣସି ଅଭିଯୋଗ ଥିଲେ ବନ୍ଦରର ସମ୍ପୃକ୍ତ ଅଧିକାରୀଙ୍କ ଜଣାଇ ପାରିବେ । ବନ୍ଦରର ଏପରି ସକରାତ୍ମକ ନିଷ୍ପତି ନିମନ୍ତେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ଶତପଥି ବନ୍ଦର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟାନ୍ୟ ଦାବି ଯଥା ପ୍ରତିବର୍ଷ ୫% ହିସାବରେ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଜୁକ୍ତି ଦେବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ ଓ ଅନ୍ୟ ୧୩ ପଫା ଦାବିକୁ ପୂରଣ କରିବାକୁ ବନ୍ଦର କର୍ତୃପକ୍ଷଙ୍କ ନିକଟରେ ସାଧାରଣ ସମ୍ପାଦକ ଶ୍ରୀ ଶତପଥି ଦାବି କରିଛନ୍ତି । ତେବେ ୟୁନିୟନର ଏପରି ଗଠନମୂଳକ ପଦକ୍ଷେପ ଯୋଗୁଁ ସମସ୍ତ ସଭ୍ୟମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ଓଡ଼ିଶା ସମାଚାର