Monday , March 27 2023
Breaking News
Home / ବିଶେଷ / ପାରାଦୀପରେ କରୋନା ସଂକ୍ରମଣ ବଢ଼ାଉଛି ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତି

ପାରାଦୀପରେ କରୋନା ସଂକ୍ରମଣ ବଢ଼ାଉଛି ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତି

ପାରାଦୀପ ୨୬/୦୪/୨୦୨୧(ଓଡ଼ିଶା ସମାଚାର)- କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ । ଏହି ଆଳରେ ଟୀକାରଣରେ ବିଳମ୍ବ, ଡ଼ାକ୍ତରଖାନାରେ ବେଡ଼ ଅକ୍ସିଜେନର ଅଭାବକୁ ନେଇ ଦେଶ ଉଠୁଛି ପଡ଼ୁଛି । ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଏଥିରୁ ମୁକ୍ତି ବା ରକ୍ଷା ପାଇବାକୁ ସଂଯମତା ହିଁ ଏକମାତ୍ର ବିକଳ୍ପ ବୋଲି ସରକାର ବାରମ୍ବାର କହୁଥିଲେ ହେଁ ପାରାଦୀପରେ ଏହାର ଖୋଲା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଠାରେ ଥିବା ବିଭିନ୍ନ କଳାକାରଖାନା ତଥା ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକରେ ଆଜି ଦିନରେ ହଜାର ହଜାର କର୍ମଚାରୀ ନିୟମ କାନୁନକୁ ଫାଙ୍କି ଏକ ପ୍ରକାର କରୋନା  ସଂକ୍ରମଣ ବୃଦ୍ଧିର କାରଣ ପାଲଟୁଥିବା ଦେଖାଯାଉଛି । ଅପରପକ୍ଷେ ପାରାଦୀପରେ ବିଭିନ୍ନ ରାଜ୍ୟରୁ ଆସି ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ହଜାର ହଜାର ପ୍ରବାସୀ ଏଠାରେ ସଂକ୍ରମଣ ବୃଦ୍ଧି କରୁଥିଲେ ହେଁ ସେମାନଙ୍କ ଉପରେ ପ୍ରଶାସନର କୌଣସି ଅଙ୍କୁଶ ରହୁନାହିଁ । ବିଶେଷକରି ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରୁ ଆସୁଥିବା ଶ୍ରମିକ କର୍ମଚାରୀମାନଙ୍କ ଯୋଗୁଁ ଏଠାରେ ପ୍ରତ୍ୟହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଶାସନ ଭଲଭାବେ ଅବଗତ ହେଉଥିଲେ ହେଁ ଏହାକୁ ରୋକିବା ଦିଗରେ ସେଭଳି କୌଣସ ଠୋସ୍ ପଦକ୍ଷେପ ଗ୍ରହଣ କରୁନ ଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି ।

        ମିଳିଥିବା ସୂଚନା ମୁତାବକ ଏଠାରେ ଥିବା କେନ୍ଦ୍ର ସରକାରଙ୍କ ପାରାଦୀପ ବନ୍ଦର ଓ ଘରୋଇ ବନ୍ଦର ପାରାଦୀପ ଇଂଟରନେସନାଲ କାର୍ଗୋ ଟର୍ମିନାଲ(ପିଆଇସିଟି)ରେ ପ୍ରାୟ ପ୍ରତ୍ୟହ କେରାନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ଦୁଇ ବନ୍ଦରରେ ଏକାଧିକ ଘରୋଇ ସଂସ୍ଥା ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହିସବୁ ସଂସ୍ଥାରେ ହଜାର ହଜାର ସଂଖ୍ୟାରେ ଅଣଓଡ଼ିଆ ବିଶେଷକରି ପଶ୍ଚିମବଙ୍ଗ ଓ ବିହାର ରାଜ୍ୟର ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ନିକଟରେ ପଶ୍ଚିମବଙ୍ଗ ନିର୍ବାଚନରେ ଭୋଟ୍ ଦେବାପରେ ଅନେକ କର୍ମଚାରୀ ପାରାଦୀପ ଫେରି ଆସିଛନ୍ତି । ସେମାନେ କାର୍ଯ୍ୟ କରୁଥିବା ବିଭିନ୍ନ କମ୍ପାନୀରୁ ଇତି ମଧ୍ୟରେ ଶତାଧିକ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି । ଏହାଛଡ଼ା ଏଠାରେ ଥିବା ରାଷ୍ଟାୟାୟତ ସଂସ୍ଥା ଆଇଓସିଏଲରେ ମଧ୍ୟ ଶହ ଶହ ଘରୋଇ କମ୍ପାନୀ କାର୍ଯ୍ୟ କରୁଛନ୍ତି । ଏହିସବୁ କମ୍ପାନୀଗୁଡ଼ିକରେ ହଜାର ହଜାର ଅଣଓଡ଼ିଆ ଶ୍ରମିକ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନଙ୍କ ଭିତରୁ ଇତି ମଧ୍ୟରେ ଅନେକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । କିନ୍ତୁ ଉଭୟ ବନ୍ଦର ଓ ଆଇଓସିଏଲରେ ଚିହ୍ନଟ ହୋଇଥିବା କୌଣସି କମ୍ପାନୀକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇ ନ ଥିବା ଜଣାପଡ଼ିଛି । ଯେଉଁଥି ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରିତ ହେବା ପରିବର୍ତେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏହାଛଡ଼ା ଏଠାରେ ଥିବା ଇଫକୋ ସାର କାରଖାନା, ପିପିଏଲ, ଆର୍ସେଲର୍ ମିତଲ, ଆଦାନୀ ତେଲ କାରଖାନା ଇତ୍ୟାଦି ସଂସ୍ଥାରେ ମଧ୍ୟ ବାହାର ରାଜ୍ୟର ହଜାର ହଜାର ଶ୍ରମିକ କର୍ମଚାରୀ କାମ କରୁଛନ୍ତି । ମୁଖ୍ୟତଃ ଏମାନଙ୍କ ପାଇଁ ପାରାଦୀପ ସହରରେ ସଂକ୍ରମଣ ବୃଦ୍ଧି ପାଉଥିଲେ ହେଁ ଏ ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କିଛି ଦୃଢ଼ ପଦକ୍ଷେପ ନିଆଯାଉନାହିଁ । ସେହିପରି ଏହିସବୁ ସଂସ୍ଥାକୁ ଯାଉଥିବା କର୍ମଚାରୀଙ୍କୁ ଯେଉଁଭଳି ଭାବେ ବିଭିନ୍ନ ଗାଡ଼ିମଟରରେ ନିଆଯାଉଛି ତାହା ମଧ୍ୟ କରୋନା ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ ପାଲଟିଛି । ଗୋଟିଏ ଗାଡ଼ିରେ ବସିବା କ୍ଷମତାରୁ ଢ଼େର୍ ଅଧିକ ଲୋକଙ୍କୁ ସେମାନଙ୍କ କର୍ମକ୍ଷେତ୍ରକୁ ନିଆଯାଉଛି । ମାସ୍କ ଓ ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଛନ୍ତି ଏହିସବୁ କମ୍ପାନୀ । ସେହିଭଳି ବାଲିପ୍ଲଟରେ ଥିବା ଘାଟରେ ଶତାଧିକ ସଂଖ୍ୟାରେ ଲୋକମାନେ ଡଙ୍ଗାରେ ସାମାଜିକ ଦୂରତ୍ୱ ଓ କୌଣସି କୋଭିଡ୍ ନୀୟମ ନମାନି ନଦୀ ପାର ହେବା ଦେଖାଯାଉଛି । ମାତ୍ର ସେମାନଙ୍କ ଉପରେ ପ୍ରଶାସନର କୋ÷ଣସି ଅଙ୍କୁଶ ଲାଗୁନାହିଁ । ଏଠାରେ ଥିବା ବିଭିନ୍ନ କଳକାରଖାନା ତଥା ସଂସ୍ଥାଗୁଡ଼ିକ ଶାସନକଳକୁ ପ୍ରଭାବିତ କରି ନିଜର ସ୍ୱାର୍ଥରେ ବ୍ୟବହାର କରୁଛନ୍ତି । ମାତ୍ର କରୋନା ଭଳି ମହାମାରୀ ସଂକ୍ରମଣରେ ପ୍ରଶାସନ ଏହିସବୁ ସଂସ୍ଥାଗୁଡ଼ିକ ପ୍ରତି କୋଠାର ଆଭିମୁଖ୍ୟ ଗ୍ରହଣ କରିବା ପରିବର୍ତେ ନିରବ ରହିବା ଜିଲା ତଥା ପାରାଦୀପରେ ଆଗାମୀ ଦିନରେ ବହୁତ ବଡ଼ ବିପଦକୁ ନିମନ୍ତ୍ରଣ କରିବା ସଦୃଶ ହେଉଛି । ଏ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ଗୁରୁତର ସହିତ ଚିନ୍ତା କରି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.