ତାରପୁର, ୨୬/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ତଥା ରାଜ୍ୟ ସରକାର ଗ୍ରାମାଂଚଳର ସାଧାରଣ ଜନତା ଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ସ୍ୱଛ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିଥିବାବେଳେ କିଛି ବିଭାଗିୟ ଅଧିକାରୀଙ୍କ ଉଦାସିନତା ଯୋଗୁ ଏହି ଯୋଜନା ଗ୍ରାମାଂଚଳ ଲୋକମାନଙ୍କ ନିକଟରେ ପହଂଚି ପାରୁନାହିଁ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତରେ । ଗୁଆଳିପୁର, ଗୋର୍ଦ୍ଧିଆ , କପାଳେଶ୍ୱର, କୁର୍ତାଙ୍ଗ,ବର୍ତି ,ରାଧାନଗର, ପାଟେଣିଗାଁ, ଅରଙ୍ଗ ଓ କୂଳସାହି ଆଦି ରାଜସ୍ୱ ଗ୍ରାମର ୧୮ ଗୋଟି ୱାର୍ଡ଼ କୁ ନେଇ ଏହି ପଂଚାୟତରେ ୧୩ଶହ ରୁ ଉଦ୍ଧ୍ୱର୍ ପରିବାର ବାସ କରୁଥିବାବେଳେ ବର୍ତି ଓ ପାଟେଣିଗାଁ ଠାରେ ୨ ଗୋଟି ଓଭରହେଡ଼୍ ପାଣି ଟାଙ୍କି କାର୍ଯ୍ୟ କରୁଅଛି । ଏବଂ ଗୁଆଳିପୁର ଠାରେ ଅନ୍ୟ ଏକ ପାଣି ଟାଙ୍କି ନିର୍ମାଣାଧିନ ଅଛି । ଏହି ପାଣିଟାଙ୍କି ମାନଙ୍କରୁ ଗ୍ରାମର ଛକ ମାନଙ୍କରେ କିଛି ଟ୍ୟାପ୍ ଲାଗିଥିବାବେଳେ ପଂଚାୟତର କୌଣସି ବି ଗୋଟିଏ ଘରକୁ ପାନୀୟ ଜଳ ପାଇପ୍ ସଂଯୋଗ କରାଯାଇନହିଁ ଏପରିକି ଏହି ପଂଚାୟତର ୬ ନମ୍ବର ୱାର୍ଡ଼ ରେ ଥିବା ଅରଙ୍ଗ, ୭ ନମ୍ବର ଓ ୮ ନମ୍ବର ୱାର୍ଡ଼ରେ ଥିବା କୂଳସାହି ଗ୍ରାମକୁ ବିଲକୁଲ ପାଣି ପାଇପଲାଇନ୍ ସଂଯୋଗ କରାଯାଇନଥିବାରୁ ଏହି ୩ ଗୋଟି ୱାର୍ଡ଼ ର ୫ ଶହ ପରିବାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ରୁ ବଂଚିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଂଚାୟତର ଗୁଆଳିପୁର ଠାରେ ନିର୍ମାଣାଧିନ ଓଭରହେଡ଼ ଟାଙ୍କିର କୌଣସି ସୂଚନା ଫଳକ ଲଗାନଯାଇ ପଂଚାୟତବାସୀଙ୍କୁ ଅନ୍ଧାରରେ ରଖି ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଥିବାବେଳେ ଏହି କାର୍ଯ୍ୟ କିଏ ଓ କିପରି କରୁଛି ତାହା ସ୍ଥାନୀୟ ସରପଂଚ ଜାନକୀ ବଲଭ ସ୍ୱାଇଁ ଙ୍କୁ ଜଣାନଥିବା ସେ ପ୍ରକାଶ କରିଛନ୍ତି । ଦାୟିତ୍ୱରେ ଥିବା ଯନ୍ତ୍ରୀ ପଂଚାୟତକୁ ଆସୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଥିବାବେଳେ ଏହି ପଂଚାୟତର ୩ଶହ ରୁ ଉଦ୍ଧ୍ୱର୍ ପରିବାର ସ୍ୱଛ ଭାରତ ମିଶନ ଜରିଆରେ ପାଇଖାନା ପାଇବାରୁ ବଂଚିତ ଅଛନ୍ତି । ଫଳରେ ଏଠାରେ ବାହ୍ୟ ମଳ ମୂତ୍ର ପଂଚାୟତ ହୋଇପାରିନାହିଁ ।
ତେବେ ଉକ୍ତ ବିଷୟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ଦାସ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିବାବେଳେ ବର୍ତମାନ ଗ୍ରୀଷ୍ମ ପ୍ରବାହର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାପାଳ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର