କେନ୍ଦ୍ରାପଡ଼ା, ୨୬/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ରବିବାର ୪୬ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥି ମଧ୍ୟରୁ ଆଳି ବ୍ଲକରେ ୨ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୩ଟି, ଗରଦପୁର ବ୍ଲକରେ ଗୋଟିଏ, କେନ୍ଦ୍ରାପଡା ବ୍ଲକରେ ୧୨ଟି, ମହାକାଳପଡା ବ୍ଲକରେ ଗୋଟିଏ, ମାର୍ଶାଘାଇ ବ୍ଲକରେ ୫ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୯ଜଣ, ରାଜକନିକା ବ୍ଲକରେ ୩, ରାଜନଗର ବ୍ଲକରେ ୯ଜଣ ଓ କେନ୍ଦ୍ରାପଡା ପୌରାଂଚଳରେ ଗୋଟିଏ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ କେଶ ବଢୁଥିବାର ସୂଚନା ମିଳିଛି । ଜିଲ୍ଲାରେ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଅନ୍ୟ ଏକ ସୂଚନା ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତରେ ଦିଲ୍ଲୀରୁ ଆସିଥିବା ଏକ ପରିବାର ପହଁଚିଥିବା ଏବଂ ସେମାନେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ କୋଭିଡ ହସପିଟାଲକୁ ନିଆଯିବାର ଆବଶ୍ୟକତା ରହିଛି । ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ଜଣାଇ ଦିଆଯାଇଥିଲେବି ଅଦ୍ୟାବଧି ବିଡିଓଙ୍କ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ରବିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା, ନରଣପୁର, ବାଲିଗୋଠ, ଗଣ୍ଡାଖିଆ, ପୁରୁଷୋମପୁର, କୋରୁଆ ପ୍ରଭୃତି ଗ୍ରାମକୁ ଗୁଜୁରାଟରୁ ପ୍ରାୟ ୩୫ଜଣ ପ୍ରବାସୀ ଆସି ପହଁଚିଥିବା ଯୋଗୁଁ ସଂପୃକ୍ତ ଗ୍ରାମବାସୀଙ୍କ ଭିତରେ ଭାଳେଣି ପଡିଯାଇଥିବା ସୂଚନା ମିଳିଛି । ଏହି ପ୍ରବାସୀମାନଙ୍କୁ ପ୍ରଥମେ ସଙ୍ଗରୋଧରେ ରଖାଯାଇ ସେମାନଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ପରିବାରରେ ରହିବାକୁ ପ୍ରଶାସନ ଅନୁମତି ଦେଉ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର