ଡ୍ରେନରୁ ସଂଯୋଗ ହୋଇଛି ପାଣି ପାଇପ
କେନ୍ଦ୍ରାପଡା, ୨୫/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡେମୋ ପାଇଖାନା ଗୃହରେ ଏବେ ସର୍ବସାଧାରନଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନେକ ସ୍ଥାନ ଥିବା ବେଳେ ଥଣ୍ଡା ପାନୀୟ ବ୍ୟବସ୍ଥା ପାଇଁ ଏଭଳି ଏକ ସ୍ଥାନକୁ କାହିଁକି ବଛା ଗଲା ତାହା ବୁଝାପଡୁନାହିଁ । ସେହି କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ପ୍ରବଳ ଖରାରେ ଛିଡା ହୋଇ ଥଣ୍ଡା ପାନୀୟ ଜଳ ସଂପୃକ୍ତ ସ୍ଥାନରୁ ପିଇବେ । ଏହା ଲୋକଙ୍କ ମାନସିକତା ଉପରେ ନାକରାତ୍ମକ ପ୍ରଭାବ ପକାଇବ । ଲୋକେ ସେଠାରୁ ପାଣି ପିଇବାକୁ ଇଛା ପ୍ରକାଶ କରିବେ ନାହିଁ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେହି ଥଣ୍ଡା ପାନୀୟ ବ୍ୟବସ୍ଥାକୁ ନିକଟରେ ଥିବା ଏକ ଡ୍ରେନରୁ ପାଣି ପାଇପ ସଂଯୋଗ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ସେହିଠାରୁ ପାଣି ପିଇ ଲୋକମାନେ ଭବିଷ୍ୟତରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏଭଳି ବ୍ୟବସ୍ଥାର ତୁରନ୍ତ ପରିବର୍ତନ କରାଯିବା ସହ ସଂପୃକ୍ତ ପ୍ରକଳ୍ପଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର