କେନ୍ଦ୍ରାପଡ଼ା,୨୫/୦୪/୨୦୨୧(ଓଡ଼ିଶା ସମାଚାର)- କୋଭିଡ – ୧୯ର ଦ୍ୱିତୀୟ ଲହରର ପ୍ରଥମ ସଟଡାଉନ ଘୋଷଣା ପରେ ଶନିବାର କେନ୍ଦ୍ରାପଡା ସହର ଜନଶୁନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା ଓ ଜିଲ୍ଲା ପ୍ରଶାସନର ନିର୍ଦେଶନାମା ଜାରି ପରେ ଜନସାଧାରଣ ସଚେତନ ହୋଇପଡିଥିବା ଯୋଗୁଁ ନିହାତି ଜରୁରୀ ଆବଶ୍ୟକତା ନଥିଲେ ଘରୁ ପଦାକୁ ବାହାରିବାକୁ ଉଚିତ ମଣିନଥିବା ଦେଖାଯାଇଛି । କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଇଛାପୁର, କେଶପୁର ବଜାର, ସାନ୍ତସାହି, ମଢିଆଳ, ପୁରୁଣାବସଷ୍ଟାଣ୍ଡ, ବଡହାଟ, କାକଟ, ଗଣାମାହାଲ, ନୂଆବସଷ୍ଟାଣ୍ଡ, ବଣିଆମାଳ, ମହିପାଳ, କଜଳା, ତିନିମୁହାଣିଛକ ପ୍ରଭୃତି ସ୍ଥାନରେ ରାସ୍ତା ଗୁଡିକ ଶୁନଶାନ ଥିବା ଦେଖିବାକୁ ମିଳିଛି । ଏସବୁ ସ୍ଥାନ ଗୁଡିକରେ ବିଶେଷ ଭାବରେ ପୋଲିସ ବ୍ୟବସ୍ଥା ନଥାଇ ମଧ୍ୟ ଲୋକମାନେ ରାସ୍ତା ଉପରକୁ ଆସିନଥିବା ଦେଖାଯାଇଥିଲା
। କୋଭିଡ ସଂକ୍ରମଣର ଭୟାବହତା ସମ୍ପର୍କରେ ସାଧାରଣ ଲୋକ ପ୍ରାୟ ସଚେତନ ଥିଲା ପରି ଜଣାପଡୁଥିଲା । ଫଳରେ ପୋଲିସ ରାସ୍ତାରେ ନଥିଲେ ମଧ୍ୟ ଲୋକମାନେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଥିଲା । ଲୋକମାନେ ଏଭଳି ଭାବରେ ନିଜେ ସଚେତନ ହୋଇ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ହାତ ସାନିଟାଇଜ କରିବା ଓ ମାସ୍କ ପରିଧାନ ଦ୍ୱାରା ସହଜରେ କରୋନା ଭଳି ମହାମାରୀର ସଂକ୍ରମଣକୁ ହ୍ରାସ କରାଯାଇପାରିବ ବୋଲି ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି । ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ଅମାନିଆଙ୍କୁ କରୋନା ସଂକ୍ରଣ ସମ୍ପର୍କରେ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର