ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମସ୍ତ ସହରାଂଚଳରେ ସରକାର ଆଜି ସକାଳ ୬ ଘଟିକା ଠାରୁ ସୋମବାର ସକାଳ ୫ ଘଟିକା ପର୍ଯ୍ୟନ୍ତ ସଟଡାଉନ ଲାଗୁ କରିଛନ୍ତି । ଚଳିତବର୍ଷର କରୋନା ଜନିତ ପ୍ରଥମ ସଟଡାଉନ ରେ ଭୁବନ ପୋଲିସ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଛକ ଠାରେ ଚେକିଙ୍ଗ ,ବ୍ଲକିଙ୍ଗ ଆରମ୍ଭ କରିଦେଇଥିଲା । ଭୁବନର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ଶୁନଶାନ ହୋଇପଡିଥିଲା । ସକାଳ ୯ ଘଟିକା ପର୍ଯ୍ୟନ୍ତ କାଁ ଭାଁ ଲୋକ ଚଳପ୍ରଚଳ କରୁଥିବା ବେଳେ ଦିନ ୧୦ ଘଟିକା ପରଠାରୁ ଏକଦମ ଶୁନଶାନ ହୋଇଯାଇଥିଲା । ଦିନ ଦ୍ୱିପ୍ରହରରେ ସତେ ଯେମିତି କୋକୁଆଭୟ ସୃଷ୍ଟି ହେଲାଭଳି ଲାଗୁଥିଲା । ଭୁବନ ଥାନା ତରଫରୁ ବାଇପାସ ଛକ,କାଳୀବଜାର,ନୂଆବଜାର,ରଗଡି ଛକ ଓ କଲେଜ ଛକ ପ୍ରଭୃତି ସ୍ଥାନରେ ଚେକିଙ୍ଗ ପଏଣ୍ଟ କରାଯାଇଛି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କ ନେତୃତ୍ୱରେ ଏସଆଇ ସୁକାନ୍ତି କେରକେଟା,ବିକାଶ ବେହେରା,ଏଏସଆଇ ଲକ୍ଷ୍ମୀଧର ରଣା,ପ୍ରଭାତ ନାୟକ ,ଦିନବନ୍ଧୁ ପ୍ରଧାନ,ପ୍ରଭାତ କୁମାର ରାଉତ ପ୍ରମୁଖ ବିଭିନ୍ନ ଚେକିଙ୍ଗ ପଏଣ୍ଟରେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସମାଚାର