କେନ୍ଦ୍ରାପଡା, ୨୪/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଲୋକସଭା ସାଂସଦ ଅନୁଭବ ମହାନ୍ତି ତାଙ୍କ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠିରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ନୂତନ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ସେହି ଆମ୍ବୁଲାନ୍ସରେ ଭେଂଟିଲେଟର ବ୍ୟବସ୍ଥା ରହିଛି । ମୁଖ୍ୟତଃ କରୋନା ମହାମାରୀ ସଂକ୍ରମଣ ସମୟରେ ରୋଗୀମାନେ ସେହି ଆମ୍ବୁଲାନ୍ସରେ ଭେଂଟିଲେଟର ସୁବିଧା ସହ ଗୋଟିଏ ହସପିଟାଲରୁ ଜରୁରୀ ଆବଶ୍ୟକତା ସମୟରେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର ହୋଇପାରିବେ । ଏନେଇ ସାଂସଦ ଶ୍ରୀ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଗତ ସେପ୍ଟେମ୍ବରମାସରେ ପତ୍ର ନମ୍ବର-୧୮୨/୧୧.୦୯.୨୦୨୦ରିଖରେ ଏକ ପତ୍ରଲେଖି ତାଙ୍କ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ମଞ୍ଜୁର କରିବାକୁ ନିର୍ଦେଶ ଦେଇଥିଲେ ବୋଲି ତାଙ୍କ କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ଦୁର୍ଗାଶିଷ ମହାନ୍ତି କହିଛନ୍ତି । ଏସମ୍ପର୍କରେ ଏଡିଏମଓ ଡା. ସଚିଦାନନ୍ଦ ମିଶ୍ର କୁହନ୍ତି ଏହି ଆମ୍ବୁଲାନ୍ସ କୋଭିଡ ସଂକ୍ରମିତ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଓ ଭୂବନେଶ୍ୱରର ବିଭିନ୍ନ ସ୍ୱତନ୍ତ୍ର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିବ । ଓଡ଼ିଶା ସମାଚାର