ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଓଡିଶା ପ୍ରାଣୀ ଚିକିତ୍ସା ସେବାର ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ପ୍ରଦାନ,ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଜରୁରୀସେବାର ଅନ୍ତର୍ଭୁକ୍ତ କରିବା,ପ୍ରାଣୀ ଚିକିତ୍ସକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ,ପ୍ରାଣୀ ଚିକିତ୍ସକ ମାନଙ୍କୁ ପର୍ଯ୍ୟାପ୍ତ ଭିତିଭୂମି,ବୈଷୟିକ ସହାୟତା ଓ ମାନବ ସମ୍ବଳର ସହାୟତା କରିବା ଚାରି ଦଫା ଦାବିରେ ଆସନ୍ତା କାଲିଠାରୁ ସମଗ୍ର ରାଜ୍ୟରେ ପ୍ରାଣୀ ଚିକିତ୍ସକ ମାନେ ଚିକିତ୍ସାସେବାକୁ ବ୍ୟାହତ ନକରି ବିଭାଗ ନିର୍ଦ୍ଧାରିତ ସମସ୍ତ ବୈଷୟିକ –କମ୍ପୁଟରୀକରଣ କାର୍ଯ୍ୟକୁ ସମୁହଭାବେ ବନ୍ଦ (ଡିଜିଟାଲ ବଏକଟ) କରିବେ ବୋଲି ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସଂଘ ନିର୍ଦ୍ଧେଶରେ ଭୁବନ ପ୍ରାଣୀ ଚିକିତ୍ସାଳୟ ର ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା.ସୁଧାଂଶୁ ଶେଖର ବାରିକ ଜଣାଇଛନ୍ତି । ପ୍ରାଣୀ ସମ୍ପଦକୁ ରାଜ୍ୟରେ ଯେତିକି ଗୁରୁତ୍ୱ ଦିଆଯାଉଛି ପ୍ରାଣୀ ଚିକିତ୍ସକ ମାନଙ୍କୁ ସେଭଳି ଗୁରୁତ୍ୱ ଦିଆନଯାଇ ପଶୁତୁଲ୍ୟ ବ୍ୟବହାର କରାଯାଉଛି । କରୋନା କଟକଣା ମଧ୍ୟରେ ପ୍ରାଣୀଚିକିତ୍ସକ ମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରାଣୀ ପାଳକଙ୍କ ଘର କୁ ଘର ବୁଲି ଗୋରୁଗାଈ,ଛେଳି,ମେଣ୍ଢା ଇତ୍ୟାଦି ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୋଇ କାର୍ଯ୍ୟ କରୁଥିବା ବେଳେ ଅଫିସ ସମୟରେ ଡାଟା ଏନ୍ଟ୍ରି କରି ପଠାଇବା , କାର୍ଯ୍ୟଚାପ ବହୁଗୁଣିତ କରାଇବା,ପ୍ରାଣୀ ଚିକିତ୍ସାସେବାରେ ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ଦିଆନଯିବା.ବର୍ଷବର୍ଷ ଧରି ଯୋଗ୍ୟତା ତଥା ବରିଷ୍ଠତା ଭିତିରେ ପଦୋନ୍ନତି ପ୍ରଦାନ କରାନଯିବା ସହିତ ପ୍ରାଣୀ ଚିକିତ୍ସକ ମାନଙ୍କୁ କରୋନା ଯୋଦ୍ଧା ର ସମ୍ମାନ ନଦେବା କାରଣରୁ ପୂର୍ବରୁ ପ୍ରତୀକାତ୍ମକ ପ୍ରତିବାଦରେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ । ଆସନ୍ତା କାଲି ଠାରୁ କଳାବ୍ୟାଚ ପରିଧାନ,ଡିଜିଟାଲ ସେବା ବର୍ଜନ,ମଇଁ ୧ ତାରିଖ ଠାରୁ କଲମ ଛାଡ ଓ ସେବା ବିରତି,ମଇଁ ୧୫ ରୁ ସମୁହ ଛୁଟି ଏବଂ ମଇଁ ୨୫ ରୁ ସମୁହ ଇସ୍ତଫା ଦେବେ ବୋଲି ଜଣାଇଛନ୍ତି । ଓଡ଼ିଶା ସମାଚାର