Thursday , March 23 2023
Home / ବିଶେଷ / ଭୁବନ ର ପ୍ରସିଦ୍ଧ ଶକ୍ତିପୀଠ ମା’ ହିଙ୍ଗୁଳା – ସୁଶାନ୍ତ କୁମାର ପୋଥାଳ

ଭୁବନ ର ପ୍ରସିଦ୍ଧ ଶକ୍ତିପୀଠ ମା’ ହିଙ୍ଗୁଳା – ସୁଶାନ୍ତ କୁମାର ପୋଥାଳ

ମନ୍ଦିର ମାଳିନୀ ଦେବଭୂମୀ ଏଇ ଭାରତ । ହଜାର ହଜାର ବର୍ଷ ଧରି ଭାରତୀୟ ସନାତନ ସଂସ୍କୃତି ବିଶ୍ୱର ଜନମାନସକୁ ଭାବ ଓ ରସ ଚେତନାରେ ଆକୃଷ୍ଟ କରି ଆସିଛି । ସେହି ସୃଷ୍ଟିର ଆଦି ଆଦିଉତ୍ସ  ପ୍ରକୃତି ଓ ପୁରୁଷର ରହସ୍ୟମୟ ସୃଷ୍ଟି । ସେହି ପ୍ରକୃତିକୁ ଆଦିମାତା ରୂପରେ ଆରାଧନା କରିବାକୁ ଯାଇ ସହସ୍ର ଶକ୍ତିପୀଠ ଆଜି ଭାରତ ଭୂମିରେ ମୁଣ୍ଡ ଟେକିଛି । ପ୍ରତିଟି ଶକ୍ତିପୀଠ ନିଜର ଐତିହ୍ୟ ,ପରମ୍ପରା ଓ ଧର୍ମଧାରାର ଗୌରବରେ ଗରୀୟାନ । ତନ୍ମଧ୍ୟରୁ ଢେଙ୍କାନାଳ ଜିଲ୍ଲା ଭୁବନର ପବିତ୍ର ହିଙ୍ଗୁଳା ପୀଠ ଅନ୍ୟତମ ।

ମା ଙ୍କ ଆବିର୍ଭାବ ସଂପର୍କରେ ଲୋକ ମୁଖରୁ ଶୁଣାଯାଏ ଯେ,୧୯୫୯ ମସିହା ଚୈତ୍ରମାସରେ ଭୁବନ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଅର୍ଦ୍ଧାଧିକ ଘର ଭସ୍ମ ହୋଇଯାଇଥିଲା । ପ୍ରକୃତିରୁପିଣୀ ଆଦ୍ୟାଶକ୍ତି ମା’ ହିଙ୍ଗୁଳା ଅରୁପା ଅଜନ୍ମା ହେଲେ ମଧ୍ୟ ଆମ ପାଇଁ ଅଗ୍ନି ରୂପେଣ ସଂସ୍ଥିତା । ପ୍ରଥମ କରି ମା ନିଜକୁ ଲେଲିହାନ ଅଗ୍ନିରୂପେ ଭୁବନର ଏ ସାହିରୁ ସେ ସାହିକୁ ବୁଲି ନିଜର ଆବିର୍ଭାବ ସମ୍ବନ୍ଧରେ ସୂଚନା ଦେଇଥିଲେ ବୋଲି ବିଶ୍ୱାସ କରି ଭୁବନ ବାସୀ ପୂଣ୍ୟତୋୟା ବ୍ରାହ୍ମଣୀନଦୀ କୂଳରେ ଏକ ବାଲିମେଳା ମହାଯଜ୍ଞ ର ଆୟୋଜନ କରି ମା ହିଙ୍ଗୁଳା ଦେବୀ ଙ୍କୁ ଆହ୍ୱାନ କରିଥିଲେ । ଯଜ୍ଞର ଅନ୍ତିମ ଦିବସ ମଧ୍ୟ ରାତ୍ରରେ ଯଜ୍ଞର କର୍ତା ସ୍ୱର୍ଗତ ଧୃବ ଚରଣ ନାୟକ ଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ,ମୁଁ ତୁମ ଭକ୍ତି ଓ ସମର୍ପଣରେ ସନ୍ତୁଷ୍ଟ ହୋଇ ମୋର ମୁଖ୍ୟଧାମ ତାଳଚେରରୁ ବ୍ରାହ୍ମଣୀ ନଦୀରେ ଭାସିଆସି ଦୌଡେଶ୍ୱର ମହାଦେବ ମନ୍ଦିର ନିକଟରେ ଅଟକି ରହିଛି । ଏକଥା ବିଜୁଳିବେଗରେ ଗାଁ ସାରା ପ୍ରଚାରିତ ହେବାପରେ ଦୌଡେଶ୍ୱର ମନ୍ଦିର ନିକଟକୁ ଶହଶହ ଲୋକଙ୍କ ସୁଅ ଛୁଟିଥିଲା । ପରବର୍ତି ସମୟରେ ହଜାର ହଜାର ନରନାରୀ ହରିବୋଲ ହୁଳହୁଳି ଧ୍ୱନୀ ଦେଇ ଶଙ୍ଖ,ବାଜା,ବାଣ ଘଂଟ,ଘଂଟା ବଜାଇ ସଂକୀର୍ତନ କରି ମା ଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ଆଣି ଗ୍ରାମ ପରିକ୍ରମା କରି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ କୂଳ ବାଲିମେଳା ଯଜ୍ଞସ୍ଥଳ ଆମ୍ରବନରେ ସ୍ଥାପନ କରିଥିଲେ ।

ମା ହିଙ୍ଗୁଳା ଦେବୀ ଙ୍କ ସ୍ଥାପନାର ପାଂଚବର୍ଷ ପରେ ପୁନର୍ବାର ଏକ ସ୍ୱପ୍ନାଦେଶ ଫଳରେ ସ୍ୱର୍ଗତ ଭୁଲୁ ସାହୁଙ୍କ ନେତୃତ୍ୱରେ ମଉଡମଣି ମହାଲକ୍ଷ୍ମୀ ଯୁବକ ସଂଘ ଙ୍କ ଦ୍ୱାରା ମା ଶାରଳାଦେବୀ ପ୍ରତିଷ୍ଠା ହୋଇଛନ୍ତି । ୧୯୮୭ ମସିହା ଅପ୍ରେଲ ୬ ତାରିଖ ସମଗ୍ର ଭୁବନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ଲୋକଙ୍କ ଜୀବନ ହାନୀ ଘଟିବା ସହ ପ୍ରାୟ କୋଟିଏ ରୁ ଉଦ୍ଧ୍ୱର୍ ଟଙ୍କାର କ୍ଷୟକ୍ଷତି ହୋଇଥିଲା । ମା ଙ୍କ କୋପ ମନେକରି ଭୁବନବାସୀ ବିଦ୍ୱାନ ଓ ପଣ୍ଡିତମଣ୍ଡଳୀ ଙ୍କ ପରାମର୍ଶ ଅନୁଯାୟୀ ହିଙ୍ଗୁଳାପୀଠରେ ମା ହିଙ୍ଗୁଳା,ମା ଶାରଳା,ମା ମଙ୍ଗଳା ଙ୍କୁ ଏକତ୍ର ପୂଜାର୍ଚ୍ଚନା କରିବା ସହିତ ଦେବୀମିଳନ କରିଆସୁଛନ୍ତି ।

୧୯୫୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ହିଙ୍ଗୁଳା ପୀଠର ୫୦ ତମ ବାର୍ଷିକ ଝାମୁଯାତ୍ରା,ମହାଯଜ୍ଞ ଅବ୍ୟବହିତ ପୂର୍ବରୁ ୨୦୦୮ ମସିହାରେ ପୂର୍ବ ପରିଚାଳନା କମିଟି କୁ ସଂପ୍ରସାରଣ କରାଯାଇ ନୂତନ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇ ଶଶୀଭୂଷଣ ପୃଷ୍ଟି ଙ୍କୁ ସଭାପତି,କୁଞ୍ଜବିହାରୀ ଚିନରା ଙ୍କୁ ସମ୍ପାଦକ ଓ ଦିଲ୍ଲୀପ କୁମାର ଦାସ ଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ମା ହିଙ୍ଗୁଳାଦେବୀ ଙ୍କ ବାର୍ଷିକ ଆୟବ୍ୟୟ କୁ ପ୍ରତିବର୍ଷ ଏକ କ୍ଷୁଦ୍ର ପତ୍ରିକା ମାଧ୍ୟମରେ ବାର୍ଷିକ ବିବରଣୀ ଲୋପାର୍ପଣ କରାଯାଇ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । କମିଟି ର ନିଷ୍ପତି ଅନୁଯାୟୀ ୫୦ ଟଙ୍କା ତଦୁଦ୍ଧ୍ୱର୍ ଦାନ ଦେଉଥିବା ବ୍ୟକ୍ତିଙ୍କ ନାମ ଉକ୍ତ ପୁସ୍ତକରେ ସ୍ଥାନ ପାଉଛି । ସ୍ୱର୍ଣ୍ଣଜୟନ୍ତୀ ପରେ ଏହି କମିଟି କୁ ଏକ ଟ୍ରଷ୍ଟରେ ପରିଣତ କରାଯାଇଥିଲା । ୨୦୧୪ ମସିହା ଚୈତ୍ରପୂର୍ଣ୍ଣିମା ତିଥିରେ ମା ହିଙ୍ଗୁଳାଦେବୀ ଓ ମା ଶାରଳାଦେବୀ ଙ୍କ ପ୍ରତିମା ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେବାସହ ମା ହିଙ୍ଗୁଳାଦେବୀ ଚାରିଟେବୁଲ ଟ୍ରଷ୍ଟ ରେ.ନଂ-୧୦୫୪୧୪୦୦୫୭୨ ତା୨୬.୦୩.୨୦୧୪ ଗଠିତ ହୋଇଥିଲା ।

ମା ହିଙ୍ଗୁଳା ଦେବୀଙ୍କ ପୀଠର ବର୍ତମାନ ସ୍ଥିତି- ଭୁବନ ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ପୂଣ୍ୟତୋୟା ବ୍ରାହ୍ମଣୀନଦୀକୂଳରେ ମା ଙ୍କ ନିଜସ୍ୱ ୨ ଏକର ଆମ୍ରବନରେ  ହିଙ୍ଗୁଳାଦେବୀ ଙ୍କ ମନ୍ଦିର ପରିସରରେ  ମା ଶାରଳା,ମା ବିମଳା ମନ୍ଦିର, ଯଜ୍ଞମଣ୍ଡପ, ଆନନ୍ଦବଜାର,୪ ବଖରା ଭକ୍ତଙ୍କ ବିଶ୍ରାମଗୃହ,ହିଙ୍ଗୁଳାଦେବୀ ଙ୍କ ପୁଷ୍କରିଣୀ,ଉଦ୍ୟାନ,କଳ୍ପବଟ ଥିବାବେଳେ ଆଗାମୀ ଭବିଷ୍ୟତରେ ହିଙ୍ଗୁଳାପୀଠରୁ ବାବା ବୁଦ୍ଧେଶ୍ୱର ମନ୍ଦିର କୁ ସଂଯୋଗିକରଣ ରାସ୍ତା ନିର୍ମାଣ,ପର୍ଯ୍ୟାପ୍ତ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା,ପାନୀୟ ଜଳର ସୁବ୍ୟବସ୍ଥା,ବିବାହ ମଣ୍ଡପ, ଭୋଗମଣ୍ଡପ,ମନ୍ଦିର ପରିସର କଂକ୍ରିଟକରଣ,ହରିହରପୁର ଉପ୍ରା ବିଦ୍ୟାଳୟ ଠାରୁ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ବାର୍ଷିକ ମହାଯଜ୍ଞ ଓ ହିଙ୍ଗୁଳା ସମ୍ମାନ – ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମି ପୂର୍ବଦିନ ଠାରୁ ପାଂଚଦିନ ବ୍ୟାପି ମା ଙ୍କ ପୀଠରେ ମାତୃପୂଜା,ବିଶ୍ୱଶାନ୍ତି ମହାଯଜ୍ଞ,ଝାମୁଯାତ୍ରା ସହିତ ସ୍ଥାନୀୟ କଳାକାର ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ନାଟକ ମଂଚସ୍ଥ  ହେଉଅଛି । ୨୦୧୧ ମସିହା ଠାରୁ କଳା,ବିଜ୍ଞାନ,ସାହିତ୍ୟ,ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହିଙ୍ଗୁଳା ସମ୍ମାନ ପ୍ରଦାନ କରାଯାଉଅଛି ।

       ପରିଚାଳନା କମିଟି ସଦସ୍ୟ ଙ୍କ ମୁହଁରୁ

ହୋମ,ଯଜ୍ଞ ବ୍ୟତିତ ଆଉ ସବୁ ବନ୍ଦ

ଚଳିତ ବର୍ଷ ମା ହିଙ୍ଗୁଳା ଙ୍କ ୬୩ ତମ ବାର୍ଷିକ ପୂଜା ଅନଷ୍ଠିତ ହେବ । ସରକାରଙ୍କ କୋଭିଡ ନିୟମ ଅନୁସାରେ କେବଳ ହୋମ,ଯଜ୍ଞ ଓ ପୂଜା ହେବ କୌଣସି ପ୍ରକାର ସାଂସସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ସମସ୍ତ ଶ୍ରଦ୍ଧାଳୁ ସରକାରଙ୍କ ନିୟମ ମାନି ଆସିବେ, ହୋମ ଯଜ୍ଞ ବ୍ୟତିତ ଆଉ ସବୁ ବନ୍ଦ ରହିବ । ତେବେ ଆସନ୍ତା ୨୯ ତାରିଖ ଦିନ ମା ହିଙ୍ଗୁଳା ଦେବୀଙ୍କ ଗୋଶାଳା ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ରହିଛି ।

   ଦିଲ୍ଲୀପ ଦାସ-(ମୁଖ୍ୟ ଉପଦେଷ୍ଟା)

   କେବଳ  ବିଧିରକ୍ଷା ନିମନ୍ତେ ପୂଜା ହେବ

ଆସନ୍ତା ୨୬ ତାରିଖ ସୋମବାର ଠାରୁ ୩୦ ତାରିଖ ଶୁକ୍ରବାର ୫ ଦିନ ବ୍ୟାପି ମା ହିଙ୍ଗୁଳା ଦେବୀଙ୍କ ବାର୍ଷିକ ଝାମୁଯାତ୍ରା,ମହାଯଜ୍ଞ ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ସ୍ୱଳ୍ପ ସଂଖ୍ୟକ ଭକ୍ତ ଓ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ବୈଦିକ ରୀତିମତେ ମାତୃପୂଜା,ଯଜ୍ଞ,ଆହୁତି,ଝାମୁଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବ ବର୍ଷ ମାନଙ୍କ ଭଳି ଆଡମ୍ବର ପୂର୍ଣ୍ଣ ନୁହେଁ ସଂପୂର୍ଣ୍ଣ ନିରାଡମ୍ବର ଭାବେ କେବଳ ବିଧିରକ୍ଷା ନିମନ୍ତେ ପୂଜା ହେବ ।

  ଧନେଶ୍ୱର ସାହୁ (ବରିଷ୍ଠ କାର୍ଯ୍ୟକର୍ତା)

Leave a Reply

Your email address will not be published.