Thursday , March 23 2023
Home / ବିଶେଷ / ବୋମାଡ଼ ରେ ଯୁବକଙ୍କ ହାତ ଛିଣ୍ଡିଗଲା

ବୋମାଡ଼ ରେ ଯୁବକଙ୍କ ହାତ ଛିଣ୍ଡିଗଲା

ବ୍ରହ୍ମଗିରି ୨୧/୦୪/୨୦୨୧(ଓଡ଼ିଶା ସମାଚାର)- ବ୍ରହ୍ମଗିରି ଥାନା ବଡ଼ବନ୍ଧକେରା ଗାଁ’ରେ ମଙ୍ଗଳବାର ସନ୍ଧ୍ୟାେରେ ଗୋଷ୍ଠି ସଂଘର୍ଷ ଘଟି  ଘନଘନ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ଯୁବକଙ୍କ ହାତ ଛିଣ୍ତି ପଡ଼ିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହାତ ଛିଣ୍ତି ପଡ଼ିଥିବା ଯୁବକ ଜଣଙ୍କ ଏବେ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ବ୍ରହ୍ମଗିରି ଥାନା ବଡ଼ବନ୍ଧକେରା ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଗାଁରେ ଜନ୍ତାଳ ଭୋଗ ଆରମ୍ଭ ହୋଇଥିଲା। ଗୋଟିଏ ଗୋଷ୍ଠୀ ଜନ୍ତାଳ ଭୋଗ ବସାଇବା ବେଳେ ବିରୋଧୀ ଗୋଷ୍ଠୀ ଆସି ଭୋଗ ପାଇଁ ପାଟିତୁଣ୍ତ ଆରମ୍ଭ କରିବା ସହ ଘନଘନ ବୋମାମାଡ଼ କରିଥିଲେ। ଗାଁ’ର ମନୋଜ ପାଣି(୨୦)ଙ୍କ ଉପରକୁ ଲକ୍ଷ୍ୟକରି ବୋମାମାଡ଼ କରାଯିବାରୁ ଘଟଣା ସ୍ଥଳରେ ତାଙ୍କ ହାତ ଛିଣ୍ତି ଗାଁ ଦାଣ୍ତରେ ପଡ଼ିଥିଲା। ମନୋଜଙ୍କ ପାଖରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମନୋଜଙ୍କ ମୁଣ୍ତରେ ମଧ୍ୟ ଶକ୍ତ ଆଘାତ ଲାଗିଛି।

ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଏକ ପ୍ଲାଟୁନ୍ ପୁଲିସ ଫୋର୍ସ  ମୁତୟନ କରାଯାଇଥିବାବେଳେ ପୁରୀରୁ ବରିଷ୍ଠ ପୁଲିସ ଅଧିକାରୀମାନେ ବ୍ରହ୍ମଗିରିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.