Thursday , March 23 2023
Home / ଶିକ୍ଷା / ୧୦ବର୍ଷ ବୟସ କମାଇ ସରକାରୀ ସ୍କୁଲରେ ଶିକ୍ଷକତା

୧୦ବର୍ଷ ବୟସ କମାଇ ସରକାରୀ ସ୍କୁଲରେ ଶିକ୍ଷକତା

ପାଠପଢ଼ା, ଜନ୍ମ ପ୍ରମାଣପତ୍ର ଦାଖଲ ନିର୍ଦ୍ଧେଶ ପରେ ବି ଯାଂଚ ହେଉନି -ସର୍ଭିସ ବୁକ୍ ପ୍ରମାଣପତ୍ର ମାଗିବାରୁ ଧରାପଡ଼ିଲା ଜାଲିଆତି
କେନ୍ଦ୍ରାପଡ଼ା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ଗଣଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ ଥମିବାର ନାହିିଁ । କେତେବେଳେ ଆବଶ୍ୟକତା ଅନୁଯାଇ ଯୋଗ୍ୟତା ପୂରଣ ହେଉନଥିଲେ ବି ଚାକିରି ସ୍ଥାୟୀ କରିବାକୁ କାରସାଦି କରାଯାଉଛିତ ପୁଣି କେବେ ଜାଲିଆତି ହେଉଛି । ବୟସକୁ କମାଇ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି କେତେ । ଚାକିରି ସମୟରେ ବୟସ କମ୍ ପକାଇ କଂସାର ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ନିଯୁକ୍ତି ପାଇଥିବା ଜଣାପଡ଼ିବାରେ ଏବେ ସେସବୁର ଖୋଳତାଡ଼ ଆରମ୍ଭ ହୋଇଛି । ଏବାବଦରେ ଅଭିଯୋଗ ହେବା ପରେ ଶିକ୍ଷା ବିଭାଗରେ ତତପରତା ପ୍ରକାଶ ପାଇିବା ସହ ତଦନ୍ତ ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ କହିଥିଲେ । ହେଲେ ପରବର୍ତୀ ସମୟରେ ତାଙ୍କର ସେହି ଦମ୍ଭୋକ୍ତି କୁଆଡ଼େ ମିଳେଇଯାଇଥିବା ଦେଖାଯାଇଛି । ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ ବି ତଦନ୍ତକୁ ଚାପିଦିଆଯାଇଛି । ବୟସ କମ୍ ଦର୍ଶାଇ ଚାକିରିକରିଥିବା ସଂପୃକ୍ତ ଶିକ୍ଷକଙ୍କର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଦରମା ବନ୍ଦ କରାଯାଇଥିଲା । କିନ୍ତୁ ଏବେ ପୁଣି ସେହି ଶିକ୍ଷକ ଶ୍ରୀ ପ୍ରଧାନ ଦରମା ପାଉଥିବା ସୂଚନା ମିଳିଛି । ୧୦ବର୍ଷ ବୟସ କମାଇ, ତୃଟିଯୁକ୍ତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇ ନେଇଥିଲେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ନିକଟରେ ଏମିତି ଏକ ମାମଲାକୁ ଚାପିଦେବାକୁ ବସିଥିବାବେଳେ ଉପରିସ୍ଥ କର୍ୃପକ୍ଷଙ୍କ ନିକଟରେ ଅଭିଯୋଗ ହେବାରୁ ବାଧ୍ୟହୋଇ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ହେଲେ ଏଥର ସେମିତି ହୋଇନଥିବାରୁ ଘଟଣାକୁ ଚାପିଦେଇ ପୁଣି ସମ୍ପୃକ୍ତ ଶିକ୍ଷକଙ୍କର ଦରମା ପ୍ରଦାନ ପାଇଁ ଅନୁମତି ମିଳିଛି । ଏହାପଛରେ ବଡ଼ଧରଣର କାରବାର ହୋଇଥିବାର ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଲାଣି । ଅଭିଯୋଗ ପରେ ସମ୍ପୃକ୍ତ ଶିକ୍ଷକଙ୍କର ପାଠପଢ଼ା ଓ ଜନ୍ମପ୍ରମାଣ ପତ୍ର ଦାଖଲ କରିବାକୁ କେନ୍ଦ୍ରାପଡ଼ାର ତତକାଳୀନ ଭାରପ୍ରାପ୍ତ ବିଇଓ ସୁବାସ ଚନ୍ଦ୍ର ବିଶ୍ୱାଳ ନିର୍ଦ୍ଧେଶ ଦେଇଥିଲେ । ପ୍ରଥମରୁ ତୃତୀୟ, ଚତୁର୍ଥ ଓ ୫ମ, ଷଷ୍ଠ ଓ ସପ୍ତମ, ୮ମରୁ ୧୦ମ, ଯୁକ୍ତ ଦୁଇ ଓ ସିଟି ତାଲିମ ଗ୍ରହଣ କରିଥିବାର ପ୍ରମାଣପତ୍ର ୨୦୨୦ ମସିହା ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଧେଶ ଜାରି କରିଥିଲେ । ଅନ୍ୟଥା ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ ପୂର୍ବକ ଚୂଡ଼ାନ୍ତ ନିଷ୍ପତି ପର୍ଯ୍ୟନ୍ତ ତାଙ୍କର ଦରମା ବନ୍ଦ କରାଯିବ ବୋଲି ନିର୍ଦେଶରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା । ହେଲେ ଚିଠିରେ ଚିଠିରେ ତଦନ୍ତ ସରିଗଲା । ସଂପୃକ୍ତ ଶିକ୍ଷକଙ୍କ ବାସ୍ତବ ବୟସ ପ୍ରାୟ ୫୮ବର୍ଷ ହୋଇଥିବାବେଳେ ସାର୍ଟିଫିକେଟରେ ୧୦ ବର୍ଷ କମ୍ କରି ଦର୍ଶାଯାଇଛି ଅର୍ଥାତ ତାଙ୍କୁ ଏବେ ୪୮ ବର୍ଷ ହୋଇଛି । ସର୍ଭିସ ବୁକ୍ ଖୋଲିବା ଲାଗି ଆବଶ୍ୟକ କାଗଜପତ୍ର ମଗାଇବାରୁ କିଛିମାସ ପୂର୍ବରୁ ଏଭଳି ଚଂଚକତା ସାମ୍ନାକୁ ଆସିଥିଲା । ଏତେସବୁ ଜାଲିଆତି ସତ୍ୱେ ବି ବିଇଓଙ୍କ କାର୍ଯ୍ୟାଳୟର ଏକ ଗୋଷ୍ଠୀ ସମଗ୍ର ଘଟଣାକୁ ଚପାଇ ଦେଇଥିବାର ଦେଖାଯାଇଛି । ଗତ ୨୦୦୮ ମସିହା ଜୁଲାଇରେ ରାଜ୍ୟର ଅନ୍ୟ ଜିଲ୍ଲା ପରି କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୬୪୫ଜଣ ପ୍ରାର୍ଥୀ ଗଣଶିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ୮ବର୍ଷ ବ୍ୟବଧାନରେ ଚାକିରି ନିୟମିତ ହେବା ସହ ୫୪୧ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିଥିଲା । ସେମାନଙ୍କ ମଧ୍ୟରେ ଉକ୍ତ ଶିକ୍ଷକ ପ୍ରମାଣପତ୍ରରେ ବୟସ ୧୦ବର୍ଷ କମ୍କରି ପାଠପଢ଼ିଥିଲେ ଆଉ ପରେ ଚାକିରି କରିଥିଲେ । ତାଙ୍କର ବାସ୍ତବ ବୟସ ୫୮ ବର୍ଷ ହୋଇଥିବାବେଳେ ସେ ପ୍ରମାଣପତ୍ରରେ ଭୁଲ ତଥ୍ୟଦେଇ ୧୦ ବର୍ଷ କମାଇ ୪୮ ବୋଲି ଦେଖାଇଥିଲେ । ଏବେ ତାଙ୍କ ପୁଅକୁ ଆସି ୩୩ ବର୍ଷ ହୋଇଥିବାବେଳେ ସେ ଜେଜେ ହୋଇସାରିଲେଣି । ସାର୍ଟିଫିକେଟ ବୟସକୁ ହିସାବ କଲେ ବିଭିନ୍ନ ପ୍ରକାର ବିଭ୍ରାଟ ଦେଖାଦେଇଛି । ଯଦି ତାଙ୍କରବୟସ ସାର୍ଟିଫିକେଟ ହିସାବରେ ଧରାଯାଏ ତା’ହେଲେ ସେ ୧୬ ବର୍ଷ ବୟସରେ ବିବାହ କରିଥିବେ । ଯଦି ବିବାହ ତା’ଠାରୁ ଅଧିକ ବୟସରେ କରିଥାଆନ୍ତି ତା’ହେଲେ ନିହାତି ଭାବେ ସାର୍ଟିଫକେଟ୍ ବୟସରେ ଭୁଲ ତଥ୍ୟଥିବ । ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାବେଳେ ପ୍ରମାଣପତ୍ରରେ ୧୯୬୨ ବୋଲି ଦର୍ଶାଯାଇ ଥିବାବେଳେ ପରବର୍ତୀ ସମୟରେ ତାହା ୧୯୭୨ ମସିହା କେମିତି ହେଲା? ତା’ ହେଲେ ସେ ନିହାତି ଭାବେ ୧୬ ବର୍ଷ ବୟସରେ ବାପା ହୋଇଥିବେ । ଯଦି ୧୬ବର୍ଷ ବୟସରେ ସେ ବାପା ନହୋଇଥିବେ ତା’ ହେଲେ ସେ ଚାକିରିକାଳ ବଢ଼ାଇବାକୁ ଏପରି କରିଥିବେ । କେନ୍ଦ୍ରାପଡ଼ା ଡିଇଓ ଶ୍ରୀ ସିଂଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଥିଲେ ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଦୁର୍ନୀତିକୁ କଦାପି ପ୍ରଶୟ ଦିଆଯିବନି । ଓଡ଼ିଶା ସମାଚାର

Leave a Reply

Your email address will not be published.