କେନ୍ଦ୍ରାପଡ଼ା, ୧୯/୦୪/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ ଠାରୁ ଦୋଷୀଙ୍କ ବିରୁଦ୍ଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ମିଳିବା ପରେ ଗଣଧାରଣାକୁ ପ୍ରତ୍ୟାହାର କରିନେଇଛନ୍ତି ବାରୋ ଗ୍ରାମପଂଚାୟତବାସୀ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଗଣଧାରଣା ଆଜି ଦ୍ୱାଦଶ ଦିନରେ ପହଁଚିଥିଲା । ଗଣଧାରଣାରେ ବାରୋ ପଂଚାୟତବାସୀ ବସିବା ପରେ କେନ୍ଦ୍ରାପଡା ବ୍ଲକର ବିଡିଓଙ୍କ ନିର୍ଦେଶରେ ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିପିଇଓ ଏବଂ ଏପିଓ ମିଳିତ ଭାବେ ତଦନ୍ତ କରି ପ୍ରଦାନ କରିଥିବା ତଦନ୍ତ ରିପୋର୍ଟରେ ବାରୋ ନବଦୋୟ ବିଦ୍ୟାଳୟ ପରିସରରେ ହୋଇଥିବା ମନରେଗା ପ୍ରକଳ୍ପ କର୍ଯ୍ୟରେ ବହୁ ବେଆଇନ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ ଥିଲା । କିନ୍ତୁ ସେହି ରିପୋର୍ଟ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାବ୍ୟତିତ ସେହି ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା । ବାରୋ ପଂଚାୟତରେ ହୋଇଥିବା ସମସ୍ତ ଦୁର୍ନୀତିର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚାଲୁରହିବ ବୋଲି ଧାରଣାକାରୀମାନେ କହିଥିଲେ । ସୋମବାର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଓ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଭାଗୀରଥି ଜେନା,ନାଏବ ସରପଂଚ ବସନ୍ତ ନାୟକ ଓ ହେମନ୍ତ ପରିଡା ପ୍ରମୁଖ ଏକ ଆଲୋଚନା ବୈଠକରେ ଯୋଗଦେଇଥିଲେ । ଅଭିଯୋଗ ଉପରେ ଆଲୋଚନା ପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ୩ଦିନ ମଧ୍ୟରେ ବାରୋ ପଂଚାୟତର ଦୁର୍ନୀତିରେ ଲିପ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଧାରଣାକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହାପରେ ପିଡି ଶ୍ରୀ ପରିଡା ଓ ବିଡିଓ ଶ୍ରୀ ଦାସ ଧାରଣାସ୍ଥଳକୁ ଆସି ଗଣଧାରଣାରେ ବସିଥିବା ଧାରଣାକାରୀମାନଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ଦୋଷୀଙ୍କ ବିରୁଦ୍ଧରେ ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ପ୍ରତିଶୃତି ରଖିବାରେ ଧାରଣାକାରୀମାନେ ଧାରଣାକୁ ପ୍ରତ୍ୟାହାର କରି ନେଇ ଧାରଣାସ୍ଥଳରୁ ଉଠିିଯାଇଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ଜିଲ୍ଲାପାଳଙ୍କ ଠାରୁ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମିଳିବା ପରେ ଗଣଧାରଣା ପ୍ରତ୍ୟାହାର କଲେ ବାରୋ ପଂଚାୟତବାସୀ