କେନ୍ଦ୍ରାପଡା,୧୯/୦୪/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାରେ କୋଭିଡ ମାର୍ଗଦର୍ଶିକାଜାରି କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଜିଲ୍ଲାରେ ଶିକ୍ଷା, ସାମାଜିକ, ଧାର୍ମିକ, ସାଂସ୍କୃତିକ, ରାଜନୈତିକ, ବ୍ୟବସାୟୀକ, ପରିବହନ, ମନୋରଞ୍ଜନ ପ୍ରଭୃତି କାର୍ଯ୍ୟକ୍ରମ ଓ କାର୍ଯ୍ୟାଳୟ ପରିଚାଳନା ନିମିତ ନିର୍ଦେଶାନାମା ଜାରି କରିଛନ୍ତି ଜିଲ୍ଲାପାଳ ଶ୍ରୀ ଋତୁରାଜ । ସେହି ନିର୍ଦେଶନାମା ଅନୁଯାଇ ରାଜ୍ୟ ସରକାରଙ୍କ ଅଧିନ ଓ ତତ୍ୱାବଧାନରେ ପରିଚାଳିତ ସମସ୍ତ ବିଦ୍ୟାଳୟ ଓ ଛାତ୍ରାବାସ ସୋମବାର ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ସରକାରୀ ଓ ସରକାରୀ ତତ୍ୱାବଧାନରେ ଚାଲୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାସ୍ତବ ସିଦ୍ଧାନ୍ତ ଓ ବ୍ୟବହାରିକ ପାଠପଢା ବନ୍ଦ ରହିବ । ମାତ୍ର ଠିକ ସମୟରେ ସିଲାବସ ଶେଷ ପାଇଁ ଅନଲାଇନ ପାଠପଢା ଚାଲୁରହିବ । ବୈଷୟୀକ ଶିକ୍ଷା ଦକ୍ଷତା ବିକାଶ ବିଭାଗ ଅଧିନ ସମସ୍ତ ଶିଳ୍ପ ତାଲିମ ଅନୁଷ୍ଠାନ, ପଲିଟେକନିକ, ଡିପ୍ଲମା କଲେଜ, ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପ୍ରଭୃତି ବୈଷୟିକ ଓ ବୃତିଗତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଓ ଅନଲାଇନରେ ପାଠପଢା ହେବ । ମାତ୍ର ଆସନ୍ତା ୨୫ତାରିଖରେ ଶେଷ ହେବାକୁ ଥାଇ ଚାଲିଥିବା ସମସ୍ତ ଡିପ୍ଲୋମା ପରୀକ୍ଷା କୋଭିଡ ମାର୍ଗଦର୍ଶିକା ଅନୁଯାଇ ଚାଲୁରହିବ । ବୈଷୟିକ ଶିକ୍ଷାର ସମସ୍ତ ଛାତ୍ରାବାସ ଓ ଘରୋଇ ଛାତ୍ରାବାସ ବନ୍ଦ ରହିବ କିନ୍ତୁ ସ୍କଲାର ରିସର୍ଚ୍ଚର ଓ ଛାତ୍ରଛାତ୍ରୀ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଥିବେ ସେମାନେ ସଂପୃକ୍ତ ଅନୁଷ୍ଠାନର ପ୍ରାଧିକାରୀଙ୍କୁ ଅଣ୍ଡରଟେକିଂ ଦେଇ ଛାତ୍ରାବାସରେ ରହିପାରିବେ । ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରାଧିକାରୀମାନେ ଅନଲାଇନରେ ପାଠପଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ଅଣଶୈକ୍ଷିକ କର୍ମଚାରୀମାନେ ସଂପୃକ୍ତ ପ୍ରାଧିକାରୀଙ୍କ ନିର୍ଦେଶାନୁଯାଇ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଣିତ କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅନଲାଇନ କ୍ଲାସ ସାରସ୍ୱତକର୍ମ ଓ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କରିବେ । ଛାତ୍ରଛାତ୍ରୀଙ୍କୁ ବାସ୍ତବ କୋଚିଂ ବଦଳରେ ଭର୍ଚୁଆଲ/ ଅନଲାଇନ କୋଚିଂ ପ୍ରଦାନ କରାଯାଇପାରିବ । ବିବାହ ଭୋଜିରେ ୫୦ଜଣ , ଅନ୍ତ୍ୟେଷ୍ଟି ଓ ଶୁଦ୍ଧିକ୍ରିୟାରେ ୨୦ଜଣଙ୍କୁ ଅନୁମତି ପ୍ରଦାନ କରାଯିବ । ବିବାହରେ କୌଣସି ଶୋଭାଯାତ୍ରା କରାଯାଇପାରିବ ନାହିଁ, ଯୋଗଦେଇଥିବା ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ ହେବ । ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବା ବ୍ୟକ୍ତି ସମସ୍ତ ବ୍ୟବସ୍ଥା କରିବେ । କୌଣସି ରାଜନୈତିକ,ସାମାଜିକ, ଧାର୍ମିକ, ସାଂସ୍କୃତିକ, ସାରସ୍ୱତ ସଭା ପାଇଁ ଅନୁମତି ଦିଆଯିବ ନାହିଁ । ଏସବୁ ଭର୍ଚ୍ଚୁଆଲରେ କରାଯିବ । କୌଣସି ରାଲି ଓ ଶୋଭାଯାତ୍ରା କରାଯାଇପାରିବ ନାହିଁ । ମନ୍ଦିର, ମସଜିଦ ଓ ଚର୍ଚ୍ଚ ଆଦି ଧାର୍ମିକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହ ୫୦ଜଣରୁ ଅଧିକ ଲୋକମାନଙ୍କୁ ଅନୁମତି ଦିଆଯିବ ନାହିଁ । ଧର୍ମାନୁଷ୍ଠାନ ଗୁଡିକରେ ସ୍ଥାନକୁ ଦୃଷ୍ଟିରେ ରଖି କୋଭିଡ ସୁରକ୍ଷା ଅନୁଯାଇ ଆବଶ୍ୟକ ସ୍ଥଳେ ୫୦ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯିବ । ହାଟ, ମାଛ ମାର୍କେଟ ଓ ଅନ୍ୟାନ୍ୟ ମାର୍କେଟମାନଙ୍କରେ ଦୋକାନ ବ୍ୟବଧାନ ୩୦ଫୁଟ ରହିବ । ଦୋକାନୀ ଓ ଗ୍ରାହକ ଉଭୟ ବାଧ୍ୟତା ମୂଳକ କୋଭିଡ ସୁରକ୍ଷା ପାଳନ କରିବେ । ସ୍ଥାନୀୟ ଅଧିକାରୀ ଏ ସଂକ୍ରାନ୍ତରେ ସ୍ଥାନ ନିରୂପଣ କରିବେ । କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଦୋକାନକୁ ବନ୍ଦ ଓ ସିଲ କରାଯିବା ସହ ସେମାନଙ୍କ ଲାଇସେନ୍ସକୁ ରଦ୍ଧ କରାଯିବ । ହୋଟେଲ,ରେଷ୍ଟୁରାଂଟ ଓ ବାର ୫୦ପ୍ରତିଶତ କ୍ଷମତାରେ କୋଭିଡ ନିୟମ ଅନୁପାଳନ ପୂର୍ବକ ସମ୍ପାଦନ କରିବେ । ରାସ୍ତାଘାଟରେ ଖାଦ୍ୟପଦାର୍ଥ ବୀକ୍ରୟ କରୁଥିବା ବ୍ୟକ୍ତି ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ କରିନଥିଲେ ସେମାନଙ୍କ ବିରୁଦ୍ଧରେ ଅପରାଧୀକ ମାମଲା ରୁଜୁ କରାଯିବା ସହ ଆଇନ ଅନୁଯାଇ ଜୋରିମାନା ଆଦାୟ କରାଯିବ । ସମସ୍ତ ଆନ୍ତଃରାଜ୍ୟ ବସସେବା ବାତିଲ ହୋଇଥିବା ବେଳେ ରାଜ୍ୟ ଭିତରେ ସିଟ ଅନୁଯାଇ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରାଯିବ । ଅଟୋରିକ୍ସା ଓ ଭୟାନ ଭଳି ଗାଡି ଗୁଡିକ କେବଳ ୨ଜଣଙ୍କୁ ନେଇ ଯାତ୍ରା କରିବେ । ସିନେମା ହଲ ଓ ଥିଏଟର ଗୁଡିକ କେବଳ ୫୦ପ୍ରତିଶତ ଦର୍ଶକରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ପୂର୍ବକ ଚାଲିବାକୁ ଅନୁମତି ଦିଆଯିବ । ପାର୍କ, ଅବସର ବିନୋନ୍ଦନ କେନ୍ଦ୍ର, ଦୋଳି ଓ ମୀନାବଜାର ପ୍ରଭୃତିରେ କୋଭିଡ ନିୟମ ଅନୁପାଳନ ପୂର୍ବକ ୨ଶହ ଲୋକଙ୍କୁ ଅନୁମତି ଦିଆଯିବ । ଯାତ୍ରା, ଅପେରା ଓ ଖୋଲା ରଙ୍ଗମଂଚରେ ଏକ ହଜାର ଦର୍ଶକରେ କରାଯିବ । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଆଦି କୋଭିଡ ନିୟମାବଳୀ ଅନୁପାଳନ ବାଧ୍ୟତା ମୂଳକ ହେବ । ଆୟୋଜକମାନେ ନିଶ୍ଚିତ ଭାବେ କୋଭିଡ ମାର୍ଗଦର୍ଶିକା ଅନୁପାଳନ କରିବେ । ଅନ୍ୟଥା ସେମାନଙ୍କର ଅନୁମତିକୁ ରଦ୍ଧ କରିଦିଆଯିବ । ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାଇ ସମସ୍ତ ସରକାରୀ, ବେସରକାରୀ ଆଦି କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ସମ୍ପାଦିତ ହେବ । କୋଭିଡ ନିୟମାବଳୀ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଓ ମହାମାରୀ ଆଇନ ୧୮୯୭ ଧାରା ୫୧ରୁ ୬୦ ଅନୁଯାଇ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାଇ ଦଣ୍ଡିତ ହେବେ । ଜିଲ୍ଲାପାଳଙ୍କ ଏହି ଆଦେଶ ଆସନ୍ତା ଅପ୍ରେଲମାସ ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର