Wednesday , March 29 2023
Home / ବିଶେଷ / ସ୍ମାର୍ଟ ସିଟିରେ ପ୍ରିମିୟମ୍‍ ଲଣ୍ଡ୍ରି ସେବାର ଶୁଭାରମ୍ଭ

ସ୍ମାର୍ଟ ସିଟିରେ ପ୍ରିମିୟମ୍‍ ଲଣ୍ଡ୍ରି ସେବାର ଶୁଭାରମ୍ଭ

ଭୁବନେଶ୍ୱର,୧୦/୦୪/୨୦୨୧(ଓଡ଼ିଶା ସମାଚାର)- ପଟିଆ ଠାରେ ଟମ୍ବଲଡ୍ରାଏର ଉଦ୍‍ଘାଟନ ଦ୍ୱାରା ସ୍ମାର୍ଟ ସିଟିରେ ଅତ୍ୟାଧୁନିକ ପ୍ରିମିୟମ ଲଣ୍ଡ୍ରୀ ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ଘଟିଛି । ଉପସ୍ଥିତ ବିଶିଷ୍ଟ ଅତିଥିବୃନ୍ଦ ଓଲିଉଡ୍‍ ର ସୁପରଷ୍ଟାର ସବ୍ୟସାଚ୍ଚୀ ମିଶ୍ର, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓ ଟାଟା ପାୱାରର ସି.ଭି.ଓ ବ୍ରହ୍ମାନନ୍ଦ ଦଣ୍ଡପାଟଙ୍କ ଦ୍ୱାରା ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ଏବଂ ଫିତା ତଥା କେକ୍‍ କଟା ଦ୍ୱାରା ଉଦ୍‍ଘାଟନ ପର୍ବ ଶ୍ରୀଗଣେଶ ହୋଇଥିଲା । ତିନି କୁଶଳୀ ଯୁବ ଶିଳ୍ପୋଦ୍ୟୋଗୀ ଯଥା ରାବେନ ପାଢ଼ୀ, ଶ୍ରୀକାନ୍ତ ନାୟକ ଓ ପ୍ରିୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ମେଟାନୋଇଆ କମ୍ପାନୀ ଗ୍ରାହକ ମାନଙ୍କୁ ପରିବେଶ ହୀତକର ଓ ଖୁବ୍‍ ଉଚ୍ଚକୋଟିର ସଫେଇ ସୁବିଧା ଉପଲବ୍ଧ କରାଇବେ ବୋଲି ଏହି ଅବସରରେ ଘୋଷଣା କରାଯାଇଛି ।

ଉଦ୍‍ଘାଟନୀ ଉତ୍ସବରେ ଉଦ୍‍ବୋଧନ ଦେଇ ସବ୍ୟସାଚ୍ଚୀ ମିଶ୍ର ଟମ୍ବଲଡ୍ରାଏ ଦ୍ୱାରା ପରିବେଶ ମିତ୍ର ସଫେଇକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ସଂସ୍ଥାପକମାନଙ୍କୁ ସାଧୁବାଦ ଜଣାଇଥିଲେ । ବିଶେଷ କରି ସଫେଇର ଅତ୍ୟାବଶ୍ୟକତା କରୋନା କାଳରେ ବହୁଗୁଣିତ ହୋଇଯାଇଥିବାବେଳେ ଓଡ଼ିଶାକୁ ଟମ୍ବଲଡ୍ରାଏର ଆଗମନ ଶୁଭ ସଂକେତ ବହନ କରୁଥିବା ଶ୍ରୀ ମିଶ୍ର ଦର୍ଶାଇଥିଲେ । ସମାବେଶକୁ ସମ୍ବୋଧନ କରି କିଶୋର ଦ୍ୱିବେଦୀ ଟମ୍ବଲଡ୍ରାଏର ଉଦାହରଣ ଓ ଆଦର୍ଶକୁ ଅନୁସରଣ କରି ଓଡ଼ିଶା ଯୁବ ସଂପ୍ରଦାୟ ଷ୍ଟାର୍ଟଅପ୍‍ ଅଭିଯାନକୁ ସଶକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ । ସଭାରେ ନିଜର ଭାଷଣ ପ୍ରଦାନ କରି ଟାଟା ପାୱାରର ସି.ଭି.ଓ ବ୍ରହ୍ମାନନ୍ଦ ଦଣ୍ଡପାଟ, ଟମ୍ବଲଡ୍ରାଏ ଦ୍ୱାରା ଗ୍ରହଣ କରାଯାଇଥିବା ଅନନ୍ୟ, ଅଭିନବ ଏବଂ ଗ୍ରାହକସୁହା ସଫେଇ ବ୍ୟବସ୍ଥାର ଭୂରୀଭୂରୀ ପ୍ରଶଂସା କରିଥିଲେ ତଥା ‘ଆଉଟ୍‍ଲେଟ୍‍’ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ଟମ୍ବଲଡ୍ରାଏଠାରେ ପ୍ରଦାନ କରାଯାଉଥିବା ଅଣପାରମ୍ପରିକ ଏବଂ ଉଚ୍ଚକୋଟୀର ଗ୍ରାହକ ସେବାଗୁଡ଼ିକ ମଧ୍ୟରେ କୋମଳ ଡ୍ରାଏ କ୍ଲିନିଂ, ଜୀବନ୍ତ ଓ ସହଜ ସଫେଇ, ଦାଗ ଦୂରୀକରଣ ନେଇ ଶତକଡ଼ା ଶହେ ଭାଗର ସଫଳତା, ସମ୍ବେଦନଶୀଳତା ଓ ସତର୍କତାର ସହିତ ଲୁଗା ସଫା ଏବଂ ସମାନ ଦିନରେ ସଫେଇ ଓ ସେହିଦିନ ହିଁ କପଡ଼ାର ଫେରସ୍ତ ଆଦି ଅନ୍ତର୍ଭୁକ୍ତ ଥିବା ପ୍ରାପ୍ତସୂଚନାରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published.