କେନ୍ଦ୍ରାପଡା, ୧୦/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଆରମ୍ଭ ହୋଇଥିବା ଗଣଧାରଣା ଆଜି ଦ୍ୱିତୀୟ ଦିନରେ ପହଁଚିଛି । କେନ୍ଦ୍ରାପଡା ବ୍ଲକ ବିଡିଓ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ମନରେଗା ଦୁର୍ନୀତି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଣଧାରଣାରେ ବସିଥିବା ପଂଚାୟତବାସୀଙ୍କ ସମ୍ମୁଖରେ ଉଭୟ ଅଧିକାରୀଙ୍କ ସନ୍ତୁଷ୍ଟିକରଣ ପାଇଁ ହୋମଯଜ୍ଞ କରାଯାଇଛି । କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନରେ ପ୍ରାପ୍ତ ତଥ୍ୟ ଅନୁଯାଇ ବ୍ଲକର ବିଡିଓଙ୍କ ନିର୍ଦେଶରେ ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିପିଇଓ ଏବଂ ଏପିଓ ମିଳିତ ଭାବେ ପ୍ରଦାନ କରିଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବାରୋ ନବଦୋୟ ବିଦ୍ୟାଳୟ ପରିସରରେ ହୋଇଥିବା ମନରେଗା ପ୍ରକଳ୍ପ କର୍ଯ୍ୟରେ ପ୍ରକଳ୍ପ ସମ୍ପର୍କରେ ନାଗରିକ ସୂଚନା ବୋର୍ଡ ନଥିବା,ସରକାରୀ ନିୟମ ଅନୁଯାଇ ସଂପୃକ୍ତ ପ୍ରକଳ୍ପର କେଶ ରେକର୍ଡ ପ୍ରସ୍ତୁତ ହୋଇନଥିବା ବେଳେ ସେହି କେଶ ରେକର୍ଡରେ କେତେକ ମୁଖ୍ୟ କାଗଜାଦ ନଥିବା, ସଂପୃକ୍ତ ପ୍ରକଳ୍ପର ମାପ ଏମବିରେ ହୋଇନଥିବା ବେଳେ ମଷ୍ଟରରୋଲ ଜେନେରେଟ କରାଯାଇ ତିନୋଟି ଫେଜରେ ଅନଲାଇନରେ ମଜୁରୀ ପ୍ରଦାନ କରାଯାଇଛି । ଟ୍ରାକ୍ଟର ଦ୍ୱାରା ଅନ୍ୟ ସ୍ଥାନରୁ ପ୍ରକଳ୍ପ ସ୍ଥଳକୁ ମାଟି ପରିବହନ କରାଯାଇଥିବା ବେଳେ ସେ ସମ୍ପର୍କରେ କୈାଣସି ତଥ୍ୟ ରେକର୍ଡରେ ଉଲ୍ଲେଖ ନଥିବା ସମ୍ପର୍କରେ ଗତ ଫେବୃୟାରୀମାସ ୨୫ତାରିଖରେ ରିପୋର୍ଟ ବିଡିଓଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଅଦ୍ୟାବଧି ସେହି ରିପୋର୍ଟ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମାର୍ଚ୍ଚମାସ ୧ତାରିଖ ଓ ୧୭ତାରିଖରେ ସେହି ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀ, ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବକରି ପଂଚାୟତବାସୀ ଗଣଧାରଣା ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ବିଡିଓଙ୍କ ଠାରୁ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମିଳିବା ପରେ ସେହି ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଶେଷରେ ବିଡିଓଙ୍କ ପ୍ରତିଶୃତି କାର୍ଯ୍ୟକାରୀ ନହେବାରୁ ପୁନର୍ବାର ପଂଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବିସିରହିଥିବା ଦେଖିବାକୁ ମିଳିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଗଣଧାରଣାକାରୀଙ୍କ ପାଖକୁ ଆସିନଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର