ତାରପୁର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)-ସରକାର ଗରିବ, ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ମାସିକ ଭତା ଯୋଗାଇ ଦେବାକୁ ବାରମ୍ବାର ଘୋଷଣା କରୁଥିଲେ ମଧ୍ୟ ଏବେ ମଧ୍ୟ ଅନେକ ଅସହାୟ, ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତି ଏହି ଭତା ପାଇବାରୁ ବଂଚିତ ହେଉଛନ୍ତି । ଅନ୍ୟପକ୍ଷରେ ବହୁ ଧନି ପରିବାର ଏବଂ ଆୟକର ଦାତା ମାନଙ୍କୁ ବାର୍ଦ୍ଧକ୍ୟ ଭତା ଯୋଗାଇ ଦିଆଯାଉଥିବାରୁ ପ୍ରକୃତ ଗରିବ ଅସହାୟ ବ୍ୟକ୍ତିଙ୍କୁ ଏଥିରୁ ବଂଚିତ କରାଯାଉଅଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ରଘୁନାଥପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ବିଲସାହି ଗ୍ରାମର ସ୍ୱର୍ଗତ ବାବାଜୀ ସାହୁଙ୍କ ବିଧବା ପତ୍ନୀ ଝିଲି ସାହୁ । ବିଧବା ଝିଲି ସାହୁ ସ୍ୱାମୀ ମରିବାର ୫ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ବିଧବା ଭତା ଟିଏ ସରକାର ଯୋଗାଇ ଦେଉନାହାଁନ୍ତି । ଝିଲି ସାହୁ ସ୍ୱାମୀ ମରିଯିବା ପରେ ସଂପୂର୍ଣ୍ଣ ଅସହାୟ ହୋଇ ଦୁଇଓଳି ଦୁଇମୁଠା ଖାଇବାକୁ ପାଉନାହାଁନ୍ତି । ମୁଣ୍ଡଗୁଞ୍ଜିବା ପାଇଁ ଭଙ୍ଗା ଦଦରା ଘରଟିଏ ଛଡା ତାଙ୍କର ଆଉ କୌଣସି ସମ୍ପତିି ନାହିଁ । ଝିଲି ସାହୁ ସ୍ୱାମୀ ବଂଚିଥିବା ଅବସ୍ଥାରେ ଆଜକୁ ବହୁ ଦିନ ଧରି ଭତା ଟିଏ ପାଇବା ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ତାଙ୍କର ଦରଖାସ୍ତକୁ ମଞ୍ଜୁର କରାଯାଉନାହିଁ । ଜିଲ୍ଲପାଳ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଝିଲି ସାହୁଙ୍କୁ ବିଧବା ଭତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର