କେନ୍ଦ୍ରାପଡା, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ପ୍ରତିବାଦ ଗଣଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ବ୍ଲକ ବିଡିଓ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ମନରେଗା ଦୁର୍ନୀତି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଣଧାରଣାରେ ବସିଥିବା ପଂଚାୟତବାସୀଙ୍କ ସମ୍ମୁଖରେ ଉଭୟ ଅଧିକାରୀଙ୍କ ସନ୍ତୁଷ୍ଟିକରଣ ପାଇଁ ହୋମଯଜ୍ଞ କରାଯାଇଛି । କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନରେ ପ୍ରାପ୍ତ ତଥ୍ୟ ଅନୁଯାଇ ବ୍ଲକର ବିଡିଓଙ୍କ ନିର୍ଦେଶରେ ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିପିଇଓ ଏବଂ ଏପିଓ ମିଳିତ ଭାବେ ପ୍ରଦାନ କରିଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବାରୋ ନବଦୋୟ ବିଦ୍ୟାଳୟ ପରିସରରେ ହୋଇଥିବା ମନରେଗା ପ୍ରକଳ୍ପ କର୍ଯ୍ୟରେ ପ୍ରକଳ୍ପ ସମ୍ପର୍କରେ ନାଗରିକ ସୂଚନା ବୋର୍ଡ ନଥିବା,ସରକାରୀ ନିୟମ ଅନୁଯାଇ ସଂପୃକ୍ତ ପ୍ରକଳ୍ପର କେଶ ରେକର୍ଡ ପ୍ରସ୍ତୁତ ହୋଇନଥିବା ବେଳେ ସେହି କେଶ ରେକର୍ଡରେ କେତେକ ମୁଖ୍ୟ କାଗଜାଦ ନଥିବା, ସଂପୃକ୍ତ ପ୍ରକଳ୍ପର ମାପ ଏମବିରେ ହୋଇନଥିବା ବେଳେ ମଷ୍ଟରରୋଲ ଜେନେରେଟ କରାଯାଇ ତିନୋଟି ଫେଜରେ ଅନଲାଇନରେ ମଜୁରୀ ପ୍ରଦାନ କରାଯାଇଛି । ଟ୍ରାକ୍ଟର ଦ୍ୱାରା ଅନ୍ୟ ସ୍ଥାନରୁ ପ୍ରକଳ୍ପ ସ୍ଥଳକୁ ମାଟି ପରିବହନ କରାଯାଇଥିବା ବେଳେ ସେ ସମ୍ପର୍କରେ କୌଣସି ତଥ୍ୟ ରେକର୍ଡରେ ଉଲ୍ଲେଖ ନଥିବା ସମ୍ପର୍କରେ ଗତ ଫେବୃୟାରୀମାସ ୨୫ତାରିଖରେ ରିପୋର୍ଟ ବିଡିଓଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଅଦ୍ୟାବଧି ସେହି ରିପୋର୍ଟ ଉପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମାର୍ଚ୍ଚମାସ ୧ତାରିଖ ଓ ୧୭ତାରିଖରେ ସେହି ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀ, ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବକରି ପଂଚାୟତବାସୀ ଗଣଧାରଣା ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ବିଡିଓଙ୍କ ଠାରୁ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମିଳିବା ପରେ ସେହି ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଶେଷରେ ବିଡିଓଙ୍କ ପ୍ରତିଶୃତି କାର୍ଯ୍ୟକାରୀ ନହେବାରୁ ପୁନର୍ବାର ପଂଚାୟତବାସୀ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବିସିରହିଥିବା ଦେଖିବାକୁ ମିଳିଛି । ବାରୋ ପଂଚାୟତ ଏକ ବୃହମ ପଂଚାୟତ ହୋଇଥିବା ବେଳେ ସେହି ପଂଚାୟତକୁ ଆସିଥିବା ମନରେଗା ଯୋଜନା ସରକାରୀ ଅନୁଦାନ ଅର୍ଥରେ କେନ୍ଦ୍ର ସରକାରଙ୍କ ନବଦ୍ୱୟ ବିଦ୍ୟାଳୟ ଖେଳପଡିଆରେ ଜେସିବି ମେସିନ ଦ୍ୱାରା ଅଳ୍ପ କିଛି କାର୍ଯ୍ୟ କରିଦେଇ ମାପଚୁପ କରାନଯାଇ କିମ୍ବା ଏମବିରେ ଏଂଟ୍ରୀ ନକରାଯାଇ ଏକଲକ୍ଷ ୩୩ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏଥିରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ. ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ବାରୁଅ ଖେଳପଡିଆ, ତରାଣ୍ଡୋ ସ୍କୁଲ ପାର୍କ ନିର୍ମାଣ ନାମରେ ୬ଲକ୍ଷ ଟଙ୍କା ସରକାରୀ ଆକାଉଁଟରୁ ଉଠାଇ ନେଇ ହରିଲୁଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ପଂଚାୟତବାସୀ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ଏତଦଭିନ୍ନ ପଂଚାୟତ ଆଲୋକିକରଣ, ବୃକ୍ଷରୋପଣ, ଇଟିପୁର ଖେଳପଡିଆ, ବାରୋ ଏବଂ ଇଟିପୁର ଗ୍ରାମରେ ପୋଖରୀ ଖନନ, କଳାମାଟିଆ ରାସ୍ତା ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ, ତରାଣ୍ଡୋ ଏବଂ ଇଟିପୁର ସ୍କୁଲ ପାଚେରୀ ନିର୍ମାଣ ଏବଂ ନିଳିକଣା ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ପ୍ରାୟ ୫୦ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏକ ବୃହର ସ୍ୱାର୍ଥ ଦୃଷ୍ଟିରୁ ଜନସାଧାରଣ ଦେଉଥିବା ଟ୍ୟାକ୍ସ ଅର୍ଥର ସଦବିନିଯୋଗ କରାଯିବାକୁ ଏବଂ ସରକାରୀ ଅନୁଦାନ ଅର୍ଥକୁ ଆତ୍ମସାତ କରିଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ଦାବିରେ ବାରୋ ପଂଚାୟତବାସୀଙ୍କ ପକ୍ଷରୁ ବସନ୍ତ ନାୟକ, ଭାଗୀରଥି ଜେନା,ଗୋବର୍ଦ୍ଧନ ଦାସ, ଉଦ୍ଧବ ସାହୁ, ମହେଶ୍ୱର ମଳିକ, ଦାମୋଦର ସ୍ୱାଇଁ, ପ୍ରଫୁଲ୍ଲ ତ୍ରିପାଠୀ, ହେମନ୍ତ କୁମାର ପରିଡା, ଉମେଶ ଚନ୍ଦ୍ର ପରିଡା, ରାଜକିଶୋର ନାୟକ, ଅଚୁ୍ୟତାନନ୍ଦ ପରିଡା, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଶତାଧିକ ପଂଚାୟତବାସୀ ଗଣଧାରଣାରେ ବସିରହିଥିବା ଦେଖାଯାଇଛି । ଓଡ଼ିଶା ସମାଚାର