ଗରଦପୁର ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ଆଜି ପବିତ୍ର ବାରୁଣି ଉପଲକ୍ଷେ ଗରଦପୁର ବ୍ଲକ୍ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀର କଳାବୁଦା ଗ୍ରାମ ବାରୁଣୀ ପିଠରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ସକାଳୁ ବୁଡ ପକାଇଛନ୍ତି । ପ୍ରଶାସନ ତରଫରୁ କୋଭିଡ କଟକଣାର କୈଣସି ବାରଣ ନଥିବାରୁ ସକାଳୁ ଦିନ ୧୧ ଟା ପର୍ଯ୍ୟନ୍ତ ଲୋକମାନେ ଚିତ୍ରୋତ୍ପଳା ନଦୀରେ ବୁଡ ପକାଇଥିବାର ଦେଖିବାକୁ ମିଳିଥିଲା । ପ୍ରତି ବର୍ଷ ଫାଲଗୁନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ବୁଡ ପଡିଥାଏ । ଏହିଦିନ ସ୍ନାନ କଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ଲୋକମୁଖରୁ ଶୁଣାଯାଏ । ତେଣୁ ଶ୍ରଦ୍ଧାଳୁମାନେ ଚିତ୍ରୋତ୍ପଳା ନଦୀରେ ସ୍ନାନ କରି ସାରିବା ପରେ ପିର ଫକିରମାନେ ପକାଇଥିବା ଲୁଗାରେ ଚାଉଳ, ବିରି, ମୁଗ, ପଇସା ଦାନ କରିବା ସହିତ ସେଠାରେ ଥିବା ଉତରେଶ୍ୱର ମହାଦେବଙ୍କୁ ଦର୍ଶନ କରିଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଣ୍ୟତୋୟା ଚିତ୍ରୋତ୍ପଳା ଗଙ୍ଗାଠାରୁ ୧୦୦ ବର୍ଷ ବଡ ହୋଇଥିବାରୁ ଲୋକମାନେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ, ଶ୍ରାଦ୍ଧ, ତର୍ପଣ ଓ ଅସ୍ତି ବିସର୍ଜନ ଇତ୍ୟାଦି କରିଥାନ୍ତିି । କିନ୍ତୁ କରୋନା ମହାମାରୀର ଦ୍ୱିତୀୟ ଲହର ମାଡି ଆସୁଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବହୁ ଲୋକ ସ୍ୱତଃସ୍ପୁର୍ତ ଭାବେ ବାରୁଣୀ ବୁଡ ପକାଇବାକୁ ଆସିନଥିଲେ । ତେବେ ପୂର୍ବରୁ ପରିଚାଳନା କମିଟି କିମ୍ବା ପ୍ରଶାସନ ପକ୍ଷରୁ କୌଣସି କଟକଣା ଜାରି କରାଯାଇନଥିବାରୁ କିଛି ଲୋକ ବାରୁଣୀରେ ବୁଡ ପକାଇବା ପାଇଁ ଆସିଥିଲେ । ଚିତ୍ରୋତ୍ପଳା ନଦୀରେ ଦଳ ମଧ୍ୟରେ କମ୍ ପାଣି ଥିବାରୁ ଶ୍ରଦ୍ଧାଳୁମାନେ କାକସ୍ନାନ କରୁଥିବା ଦେଖାଯାଇଥିଲା । ଏପରିକି କିଛି ଲୋକ ପିଣ୍ଡଦାନ,ଅସ୍ତି ବିସର୍ଜନ, ଛୋଟ ପିଲା ମାନଙ୍କର ଜାଆଁବାଳ ପକାଇବା ସହ ବିବାହ ମୁକୁଟ, କଉଡିମଶିଣା ଓ ଗଇଣ୍ଠାଳ କୁ ପାଣି ରେ ଭସାଉ ଥିବାର ଦେଖାଯାଇଥିଲା । ବାରୁଣୀ ଛକରେ ସମସ୍ତ ଦୋକାନ ବଜାର ଖୋଲାଥିବାବେଳେ ହାଟ ପଡିଆରେ କିଛି ଉଠା ଦୋକାନ ଦେଖିବାକୁ ମିଳିଥିଲା । ପରି•ଳନା କମିଟି ପକ୍ଷରୁ ଶ୍ରୀଶ୍ରୀ ଉତରେଶ୍ୱର ମହାଦେବ ମନ୍ଦିର ଖୋଲାଥାଇ ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଉଥିବାବେଳେ ନିକଟରେ ଥିବା ମା’ ସନ୍ତୋଷୀ ମନ୍ଦିର, ଅଭିରାମ ଆଶ୍ରମ, ସୂର୍ଯ୍ୟମନ୍ଦିର, ଶନିଶ୍ଚର, ସାଇବାବା ମନ୍ଦିର, ହନୁମାନ ମନ୍ଦିର ଇତ୍ୟାଦି ଖୋଲାଥିଲା । ଆହୁରିମଧ୍ୟ ବାରୁଣୀ ତିଥିରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ସତ୍ସଙ୍ଗ ଉତ୍ସବ ହୋଇ ଆସୁଥିଲେ ମଧ୍ୟ ପୂର୍ବବର୍ଷ ପରି ଚଳିତବର୍ଷ କରୋନା ମହାମାରୀ ପାଇଁ ଅଳ୍ପ କିଛି ଗୁରୁଭାଇଙ୍କ ମଧ୍ୟରେ ସିମୀତ ରଖାଯାଇ ଦୈନିକ ନୀତି କରାଯାଇଥିଲା । ଓଡ଼ିଶା ସମାଚାର