କେନ୍ଦ୍ରାପଡା, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥର ଆଂଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଦ୍ରୁତଗାମୀ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଯାଇଛି । ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ କେନ୍ତିଆ ଗ୍ରାମର ଭରତ ଚନ୍ଦ୍ର ପରିଡା(୫୦) । ଭରତ ତାଙ୍କ ପୁଅ ସହିତ ଏକ ବାଇକ ଯୋଗେ କେନ୍ଦ୍ରାପଡାର ଜୁଇଦାସପୁରସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ରାସ୍ତାରେ ଛିଡା ହୋଇଥିଲେ । ସେହି ସମୟରେ ପାରାଦୀପ ପଟରୁ ଏକ ଦ୍ରୁତଗାମୀ ହାଇୱା ତାଙ୍କୁ ପଛ ପଟରୁ ଜୋରରେ ଧକ୍କା ଦେବାରୁ ସେ ରାସ୍ତା ଉପରେ ପଡିଯାଇଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଭରତଙ୍କ ପୁଅ ସୁସ୍ଥ ଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର