ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେତୁ ପିଡିତା ମହିଳା କୋର୍ଟରେ ହାଜର ହୋଇପାରିଲେନି
କେନ୍ଦ୍ରାପଡା, ୦୮/୦୪/୨୦୨୧(ଓଡ଼ିଶା ସମାଚାର)-ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିବା ଓ ସେହି ଦୁଷ୍କର୍ମରୁ ଏକ ଶିଶୁ ସନ୍ତାନ ଜନ୍ମ ହେବା ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ନିର୍ଦେଶ ପରେ ଶେଷରେ ମାର୍ଶାଘାଇ ଥାନା ପୋଲିସ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୋମବାର ଲୁଥେରାନ ସିସିଆଇରେ ପହଁଚି ତଦନ୍ତ ସାରିବା ପରେ ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ସଂସ୍ଥାରେ ଏଭଳି ସଂଗୀନ କାର୍ଯ୍ୟ ଚାଲିଥିବାରୁ ସେଠାରେ ଥିବା ଅନ୍ତେବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ସଂପୃକ୍ତ ପିଡିତା ମହିଳାଙ୍କ ଅଭିଯୋଗ ଅନୁଯାଇ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁଯାଇ ମାର୍ଶାଘାଇ ଥାନା ପୋଲିସ ପିଡିତା ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁକରିବା ସହ ବୁଧବାର ପିଡିତାଙ୍କୁ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରିବାକୁ ନେବା ସମୟରେ ପିଡିତା ତାହାକୁ ବିରୋଧକରିଥିଲେ । ମାର୍ଶାଘାଇ ପରିବର୍ତେ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଲିଖିତ ଭାବେ ଥାନା ଅଧିକାରୀଙ୍କୁ ଦେବାରୁ ପିଡିତା ମହିଳାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ପରୀକ୍ଷା କରାଯାଇଥିଲା । ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ସରିବାକୁ ଅପରାହ୍ନ ଗୋଟାଏ ହୋଇଯାଇଥିଲା । ସକାଳୁଆ କୋର୍ଟ ଯୋଗୁଁ ବିଳମ୍ବ ହୋଇଯାଇଥିବାରୁ ପିଡିତା ମହିଳା କର୍ମଚାରୀଙ୍କୁ କେନ୍ଦ୍ରାପଡା କୋର୍ଟକୁ ୧୬୪ ଧାରାରେ ବୟାନ ଦେବାକୁ ନିଆନଯାଇ ଲୁଥେରାନସ୍ଥିତ ସିସିଆଇକୁ ଫେରାଇ ନିଆଯାଇଥିଲା । ଗୁରୁବାର ତାଙ୍କୁ ୧୬୪ଧାରାରେ ବୟାନ ଦେବାକୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯିବ ବୋଲି ଆଇ.ସି.ଏ.ଡବ୍ଲୁ.ର ଇନିସପେକ୍ଟର ସଶ୍ମିତା ବେହେରାଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର