Thursday , March 23 2023
Home / ବିଶେଷ / ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଉନ୍ମୋଚିତ ହେବ ‘ଓଡ଼ିଶା ଇତିହାସ’ ପୁସ୍ତକ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଉନ୍ମୋଚିତ ହେବ ‘ଓଡ଼ିଶା ଇତିହାସ’ ପୁସ୍ତକ

ନୂଆଦିଲ୍ଲୀ/ ଭୁବନେଶ୍ୱର,୦୮/୦୪/୨୦୨୧(ଓଡ଼ିଶା ସମାଚାର)- ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ୱାବଧାନରେ ଉତ୍କଳ କେଶରୀ ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆସନ୍ତା ଏପ୍ରିଲ ୯ ତାରିଖ , ୨୦୨୧ ରେ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅର୍ନ୍ତଜାତୀୟ କେନ୍ଦ୍ରଠାରେ ଉନ୍ମୋଚନ ହେବାକୁ ଯାଉଛି । ଶ୍ରୀ ଶଙ୍କରଲାଲ ପୁରୋହିତ ଏହି ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି । ଏହି ସ୍ୱତନ୍ତ୍ର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଭର୍ତୃହରି ମହତାବ, ସାଂସଦ, କଟକ ମଧ୍ୟ ଉପସ୍ଥିତ ରହିବେ । ପୁସ୍ତକ ଉନ୍ମୋଚନ ଅବସରରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତି ତଥା ଇତିହାସ ଓ ସଂସ୍କୃତି ବିଷୟରେ ତାଙ୍କ ଠାରୁ ଉଦ୍ବୋଧନ ମଧ୍ୟ ପ୍ରାପ୍ତ ହେବ ।
କୌଣସି ପ୍ରକାର ଚିନ୍ତାଧାରାର ମହତ୍ୱ ସେତିକିବେଳେ ଅଧିକ ବୃଦ୍ଧି ଘଟିଥାଏ ଯେତେବେଳେ ଏହାକୁ ପ୍ରଦାନ କରୁଥିବା ଅଥବା ସଙ୍କଳିତ କରୁଥିବା ବ୍ୟକ୍ତିତ୍ୱର ନିଜସ୍ୱ ଜୀବନ ପ୍ରେରଣାର ଉତ୍ସ ହୋଇଥାଏ । ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡ଼ିଶାର ନବନିର୍ମାତା ଭାବେ ପରିଚିତ । ଦେଶ ସ୍ୱାଧିନ ହେବା ପରେ ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ (୧୯୪୬-୧୯୫୦) ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ସେ ୧୯୫୬-୧୯୬୧ ପର୍ଯ୍ୟନ୍ତ ପୁର୍ନବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ରାଜ୍ୟର ସେବା କରିବାର ସୁଯୋଗ ମିଳିଥିଲା । ତାଙ୍କ କୃତିତ୍ୱର ପ୍ରେରଣାଦାୟୀ ଅନୁଭୂତି କେବଳ ଯେ ଓଡ଼ିଶା ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତ ବର୍ଷକୁ ଅନୁପ୍ରେରିତ କରିଥାଏ ।
ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ଦେଶର ବୃହତମ ବର୍ଗକୁ ଓଡ଼ିଶାର ଇତିହାସ ସହିତ ସମକାଳୀନ ଭାରତର ପରିସ୍ଥିତି, ସ୍ୱାଧିନତା ସଂଗ୍ରାମ ତଥା ଗଡ଼ଜାତ ରାଜ୍ୟଗୁଡ଼ିକର ଏକତ୍ରୀକରଣ ଉଦ୍ୟମ ସମ୍ପର୍କରେ ଜୀବନ୍ତ ପ୍ରମାଣ ପ୍ରଦାନ କରିବ । ଆମ ଦେଶ ‘ଅମୃତ ମହୋତ୍ସବ’ ସ୍ୱାଧିନତା ଆନ୍ଦୋଳନର ୭୫ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏହି ପୁସ୍ତକର ପ୍ରକାଶନ, ସ୍ୱାଧିନତା ଆନ୍ଦୋଳନ ତଥା ରାଷ୍ଟ୍ର ନିର୍ମାଣରେ ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିବା ମହାତ୍ମାମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।
ପୁସ୍ତକ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ:
ଡଃ ହରେକୃଷ୍ଣ ମହତାବ ଭାରତର ସ୍ୱାଧିନତା ସଂଗ୍ରାମର ବିଶିଷ୍ଟ ନାୟକ ଥିଲେ । ସ୍ୱାଧିନତା ଆନ୍ଦୋଳନ ସମୟରେ ୧୯୪୨-୧୯୪୫ ପର୍ଯ୍ୟନ୍ତ ସେ କାରାଗାର ବରଣ କରିଥିଲେ । ଅହମଦନଗର ଦୁର୍ଗ କାରଗାରରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଡଃ ମହତାବ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ । ସେଠାରେ କଂଗ୍ରେସର ୧୨ଜଣ ଟାଣୁଆ ନେତା ଥିବା ବେଳେ ଏବଂ ସେମାନଙ୍କ ମଧ୍ୟରୁ ୬ ଜଣ ସାହିତ୍ୟ ରଚନାରେ ଲିପ୍ତ ଥିଲେ । ଓଡ଼ିଆରେ ଉପନ୍ୟାସ ‘ପ୍ରତିଭା’ ଏବଂ କବିତା ରଚନା କରିବା ବ୍ୟତୀତ, ଶ୍ରୀ ମହତାବ ‘ଓଡ଼ିଶା ଇତିହାସ’ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ରଚନା କରିଥିଲେ । ଦୈନିକ ୧୨ ଘଂଟା ସହିତ ୨ ବର୍ଷର କଠିନ ପରିଶ୍ରମ ଦ୍ୱାରା ଏପରି କୃତୀ ରଚନା କରିବାରେ ଲେଖକ ସଫଳ ହୋଇପାରିଥିଲେ । ଅତୀତର ବୃତଚିତ୍ରକୁ ବର୍ଣ୍ଣନା କରୁଥିବା ଏହା ହେଉଛି ପ୍ରଥମ ପୁସ୍ତକ ଯେଉଁଥିରେ ମହାଭାରତ ଯୁଗରୁ ଆରମ୍ଭ କରି ୧୯୪୮ ମସିହା ପର୍ଯ୍ୟନ୍ତ ଗଡ଼ଜାତ ରାଜ୍ୟଗୁଡ଼ିକର ସମ୍ମିଶ୍ରଣ ଏବଂ ବୃହତ ଓଡ଼ିଶା ନିର୍ମାଣ ବିଷୟରେ ବର୍ଣ୍ଣନା ରହିଛି ।
ହରେକୃଷ୍ଣ ମହତାବ ଫାଉଣ୍ଡେସନ ସମ୍ପର୍କରେ: ଡଃ ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ୧୯୮୭ ମସିହାରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ସ୍ଥାପନ କରାଯାଇଛି । ଏହା ଓଡ଼ିଶାର ବିଭିନ୍ନ ସ୍ଥାନରେ ସେମିନାର, ଆଲୋଚନାଚକ୍ର, ସ୍ମୃତିଚାରଣ ସଭା ଇତ୍ୟାଦି ଆୟୋଜନ କରିଥାଏ । ଡଃ ମହତାବ ଏବଂ ତାଙ୍କ ସମ୍ପର୍କିିତ ପୁସ୍ତକ ପ୍ରକାଶନ ମଧ୍ୟ କରିଥାଏ ଏବଂ ଡଃ ମହତାବ ରଚନା କରିଥିବା ଉଭୟ ଓଡ଼ିଆ ଏବଂ ଇଂରାଜୀ ପୁସ୍ତକକୁ ପୁନଃପ୍ରକାଶନ କରିଥାଏ । ଫାଉଣ୍ଡେସନ ଗରିବ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ । ପ୍ରତିବର୍ଷ ନଭେମ୍ବର ୨୧, ଏବଂ ଜାନୁୟାରୀ ୨ ତାରିଖରେ ଡଃ ମହତାବଙ୍କ ଜନ୍ମତିଥି ଏବଂ ସ୍ମୃତି ଦିବସକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଓଡ଼ିଶା ସମାଚାର

Leave a Reply

Your email address will not be published.