Friday , March 31 2023
Home / ବିଶେଷ / ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁ ଭବିଷ୍ୟତର ୫୩ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣା ପ୍ରବଣ ହେବା ଆଶଙ୍କା

ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁ ଭବିଷ୍ୟତର ୫୩ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣା ପ୍ରବଣ ହେବା ଆଶଙ୍କା

            ଠିକା କାର୍ଯ୍ୟ କରୁଥିବା ବାଲାଜୀ ର ମନମୁଖୀ କାର୍ଯ୍ୟକୁ ନେଇ ଜନଅସନ୍ତୋଷ

ଭୁବନ ୦୮/୦୪/୨୦୨୧(ଓଡ଼ିଶା ସମାଚାର)-ଭୁବନ ସହର ଦେଇ ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନମ୍ବର ପରିର୍ବତନ ହୋଇ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥକୁ ପରିବର୍ତନ ହେଲା ଏହାପରେ ଏହି ରାସ୍ତା (ଏନଏଚଏଆଇ) ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ , ଭାରତ ସରକାରଙ୍କ ଅଧିନକୁ ଗଲା ପରେ ଏବେ ୪ ଥାକିଆ ରାସ୍ତାକାମ ଓ ବାଇପାସ ନିର୍ମାଣ ଚାଲିଛି । ତେବେ  ତୃଟିପୂର୍ଣ ନିର୍ମାଣ ଯୋଗୁ ଏବେ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତା କାମ ଶେଷ ହେବା ପରେ ଏହା ଦୁର୍ଘଟଣା ପ୍ରବଣ ରାସ୍ତା ଭାବେ ପରିଚିତ ହେବ ବୋଲି ବୁଦ୍ଧିଜୀବୀ ମହଲ ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି । ଠିକା କାର୍ଯ୍ୟ କରୁଥିବା ବାଲାଜୀ କନଷ୍ଟ୍ରକସନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଛକ,ନୀଳମାଧବ ଫିଲିଙ୍ଗ ଷ୍ଟେସନ ଛକ (ଯେଉଁଠାରୁ ବାଇପାସ ରାସ୍ତା ଆରମ୍ଭ ହୋଇଛି ଓ ସହର ଭିତରକୁ ମଧ୍ୟ ରାସ୍ତା ଲମ୍ବିଛି),ସିଭିଲ କୋର୍ଟ ସମ୍ମୁଖ (ଯେଉଁଠାରେ ସହର ମଧ୍ୟରୁ ଯାଇଥିବା ରାସ୍ତା ଓ ବାଇପାସ ରାସ୍ତା ସଂଯୋଗ ହୋଇଛି ) ଏବଂ ଥାନା ସମ୍ମୁଖ (ଯେଉଁଠାରୁ ଭୂଷଳ ଗ୍ରାମକୁ ରାସ୍ତା ପଡିଛି) ଅଂଚଳରେ ତୃଟିପୂର୍ଣ୍ଣ ଭାବେ ରାସ୍ତା ନିର୍ମାଣ ହୋଇଛି । ଏହି ଅଂଚଳ ମାନଙ୍କରେ ଅନ୍ତତ ପକ୍ଷେ ଗୋଲେଇ କରାଯିବା କଥା । କିନ୍ତୁ ସେଭଳି କରାଯାଇନାହିଁ । ଫଳରେ ଭବିଷ୍ୟତରେ ଏହି ସବୁ ଛକ ମାନଙ୍କରେ ଦୁର୍ଘଟଣା ଘଟିବାର ଶତ ପ୍ରତିଶତ ସମ୍ଭାବନା ରହୁଛି । ଅନୁରୂପ ଭାବେ ଅନାବଶ୍ୟକ ସ୍ଥାନରେ ଓଭର ବ୍ରିଜ ,ଅଣ୍ଡର ପାସ ନିର୍ମାଣ ହେଉଥିବା ବେଳେ ପ୍ରକୃତରେ ଯେଉଁଠି ଆବଶ୍ୟକ ସେଠାରେ ତିଆରି ହେଉନାହିଁ । ଉଦାହରଣ ସ୍ୱରୂପ ଗୋଡା ଛକ । ଗୋଡା ଛକ ରାସ୍ତାର ବାମ ପଟେ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଓ ସେବା ସମବାୟ ସମିତି ରହୁଥିବା ବେଳେ ରାସ୍ତାର ଦକ୍ଷିଣ ପଟେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସୁକିନ୍ଦା ମାଇନିଂ କୁ ରାସ୍ତା ପଡିଛି । ତେଣୁ ଏହି ଛକରେ ଏକ ଓଭର ବ୍ରିଜ ଓ ଅଣ୍ଡର ପାସ (ଭୂତଳ ରାସ୍ତା) ନିହାତି ଆବଶ୍ୟକ । ଏନେଇ ଅତୀତରେ ଜନ ଆନ୍ଦୋଳନ ମଧ୍ୟ ହୋଇଛି । କିନ୍ତୁ ବିଭାଗୀୟ କର୍ତୃପକ୍ଷ ଙ୍କ ସହିତ ଠିକା କାର୍ଯ୍ୟ କରୁଥିବା ବାଲାଜୀ କନଷ୍ଟ୍ରକସନ କମ୍ପାନୀ ଲୋକଙ୍କ ଦାବିକୁ ଉପେକ୍ଷା କରି ମନମୁଖୀ କାର୍ଯ୍ୟ କରିବାରେ ଲାଗିଛନ୍ତି । ରାସ୍ତା ନିର୍ମାଣ ସମୟରେ ଜାତୀୟ ରାଜପଥର କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖାଦର୍ଶନ ମିଳୁନଥିବାରୁ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହେଉଥିବା ଓ ରାସ୍ତାର ସ୍ଥାୟୀତ୍ୱକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଓ ଜନଅସନ୍ତୋଷ କୁହୁଳୁଛି ।  ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି ଅନ୍ୟଥା ଜନଆନ୍ଦୋଳନ  ଆଶଙ୍କା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.