ପାରାଦୀପ ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ମହାମାରୀର ଦ୍ୱିତୀୟ ଧାରା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ଆସନ୍ତା ୧୬ତାରିଖ ଅର୍ଥାତ ୧୦ ଦିନ ପର୍ଯ୍ୟନ୍ତ ମାସ୍କ ଧରପଗଡକୁ ଯୋରଦାର କରିବା ପାଇଁ ପୋଲିସ ଅଧିକାରୀ ମାନଙ୍କ ଉଦ୍ଧେଶ୍ୟରେ ଏକ ନିର୍ଦ୍ଧେଶାନାମା ଜାରୀ କରିଛନ୍ତି । ଏହି ନିର୍ଦ୍ଧେଶାନାମା ଅନୁଯାୟୀ ଦୈନିକ ପୋଲିସର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସରକାରଙ୍କୁ ଦିଆଯିବ । ଏହି ପରିପ୍ରେକ୍ଷୀରେ ଏବେ ସକ୍ରିୟ ହୋଇ ଉଠିଛି ପାରାଦୀପ ଆଦର୍ଶ ପୋଲିସ । ବୁଧବାର ପୂର୍ବାହ୍ନରେ ଥାନା ଅଧିକାରୀ ରଜନୀ କାନ୍ତ ସାମଲଙ୍କ ନେତ୍ୟତ୍ୱରେ ପୋଲିସ ଦଳ ବନ୍ଦର ସହରର ବିଭିନ୍ନ ଛକ, ଥାନାଛକ, ପେଟ୍ରୋଲ ପମ୍ପ ସ୍ଥାନରେ ମାସ୍କ ଓ ହେଲମେଟ୍ ଚେକିଂ କରି ଅମାନିଆଙ୍କ ଠାରୁ କିଛି ଜୋରିମାନା ଆଦାୟ କରିଥିବା ବେଳେ ଲୋକଙ୍କୁ ସଚ୍ଚେତନ କରିଥିଲେ । ଏହି ଅଭିଯାନରେ ମାସ୍କ, ହେଲମେଟ୍ ନପିନ୍ଧି ବୁଲୁଥିବା ଅମାନିଆଙ୍କୁ ସାବାଡ୍ କରିବାକୁ ପୋଲିସ ଲକ୍ଷ ରଖିଥିବା ଥାନାଧିକାରୀ ଶ୍ରୀ ସାମଲ ସୂଚନା ଦେଇଥିଲେ । ସେହିପରି ଦୋକାନରେ ସାମାଜିକ ଦୂରତ୍ୱ ନରଖି ଖୁଲମଖୁଲା ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କୁ ମଧ୍ୟ ତାଗିଦ କରିଥିଲା ପୋଲିସ । ଏତତ୍ବ୍ୟତୀତ ବ୍ୟବସାୟୀ ମାନେ ମାସ୍କ ପିନ୍ଧି ନ ଥିବା ଗ୍ରାହକ ମାନଙ୍କୁ ଜିନିଷ ନଦେବା ପାଇଁ ସଚ୍ଚେତନ କରିଥିଲା । ତେବେ ପାରାଦୀପ ପୋର୍ଟ ବଣିକ ସଂଘ ଏହି ସଂକ୍ରମଣର ଭୟାବହତା ଓ ପୋଲିସ ପ୍ରଶାସନର ସଚ୍ଚେତନତା ଆଧାରରେ ସମଗ୍ର ବ୍ୟବସାୟୀ ମାନଙ୍କୁ ପୂନର୍ବାର ସଚ୍ଚେତନ କରାଯାଇଛି ବୋଲି ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ କୋଭିଡ୍-୧୯ ନିୟମ ଉଲଘଂନକାରୀଙ୍କ ଉପରେ ପୋଲିସ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ଏଠାରେ ସୂଚନାଥାଉକି, ଜଗତ୍ସିଂହପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୯ ହଜାର ୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୧୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣ ମୃତୁ୍ୟବରଣ କରିଛନ୍ତି । ଓଡ଼ିଶା ସମାଚାର