କେନ୍ଦ୍ରାପଡା, ୦୭/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ବନ୍ଧପଡା (ପୋଖରୀସାହି) ଗ୍ରାମର ପ୍ରଫୁଲ ମଇଙ୍କ ପତ୍ନୀ ମାନସୀ ମଇ ଓ ଗ୍ରାମର ଅନ୍ୟ ମହିଳାମାନଙ୍କ ସହ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଅନ୍ଧ ବିଶ୍ୱାସକୁ ଆଧାର କରି ତନ୍ତ୍ର ସାଧନା କରୁଥିବା ଜଣେ ଗୁଣିଆର କଥାରେ ପଡି ଗ୍ରାମର ବିଜୟ ଦାସଙ୍କ ସହିତ କେତେକ ଖଳ ପ୍ରକୃତିର ଲୋକ ମିଶି ଅତ୍ୟନ୍ତ ଅନ୍ୟାୟ ଭାବେ ଜୋର ଜବରଦସ୍ତ ତାଙ୍କୁ ଚୋରଣୀ ସଜାଇଦେବା ପାଇଁ ହୀନ ଉଦ୍ୟମ କରିଛନ୍ତି । ବିଜୟ ଦାସଙ୍କ ଘରୁ ଚୋରୀ ହୋଇଥିବା ସଂପର୍କରେ ସେମାନେ ଥାନାକୁ ନଜଣାଇ ଗୁଣିଆ ଦ୍ୱାରା ପୂଜାପାଠ ମାଧ୍ୟମରେ ତାଙ୍କୁ ଯୋରଜବରଦସ୍ତ ଚାଉଳ ଖାଇବାକୁ ବାଧ୍ୟ କରି ସେ ଚୋରି କରିଛନ୍ତି ବୋଲି ଅପବାଦ ଦେଇ ତାଙ୍କୁ ଏବଂ ତାଙ୍କ ପରିବାରକୁ ସାମାଜିକ ବାଛନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ତାଙ୍କର ସ୍ୱାମୀ ଜଣେ ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରି ଦୈନିକ ମଜୁରୀରେ ଘର ପ୍ରତିପୋଷଣ ହୋଇଥାଏ । ଚୋରୀ ସଂପର୍କରେ ସେମାନେ କେହି ଜାଣିନଥିବା ସତ୍ୱେ ତାଙ୍କ ପରିବାରକୁ ଚୋର ସଜାଇ ଦିଆଯାଇ ମିଥ୍ୟା ଅପବାଦ ଦିଆଯାଉଛି । ଯାହା ଫଳରେ କି ତାଙ୍କର କଲେଜ ପଢୁଆ ଝିଅ କଲେଜକୁ ଯାଇପାରୁନାହିଁ । ତେଣୁ ସେହି ପରିବାରଟିକୁ ଚୋରି ଅପବାଦରୁ ମୁକ୍ତ କରି ସାମାଜିକ ସୁରକ୍ଷା ଦେବାପାଇଁ ଗ୍ରାମର ମାନସୀ ମଇ, ମଧୁସ୍ମିତା ମଇ ନିବେଦିତା ମଇ, ବିଜୟ ଲକ୍ଷ୍ମୀ ଦାସ, ବିମଳା ମଇ, ବିଜୁଳି ଖିଲାର, ଲକ୍ଷ୍ମୀପ୍ରିୟା ଦାସ, ଗାୟତ୍ରୀ ମଇ, ମଞ୍ଜୁଲତା ମଇ, ପ୍ରଫୁଲ ମାଇ ପ୍ରମୁଖ ସି.ପି.ଆଇ.(ଏମ) ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର