ମାହାଙ୍ଗା,୦୬/୦୪/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କରୋନା ମହାମାରୀ ସମୟରେ ସରକାର ସାଧାରଣ ଲୋକଙ୍କୁ ସଚେତନ କରିବାପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋଭିଡ ନିୟମ କିପରି କଡାକଡି ପାଳନ କରାଯିବ ସେଥିପାଇଁ ସରକାରୀ ସ୍ତରରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । କିନ୍ତୁ ଆଶ୍ଚର୍ୟ୍ୟର କଥା ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନାଆଁରେ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିବା ଅଭିଯୋଗ ହୋଇଛି । ମାତ୍ର ସପ୍ତାହକ ତଳେ ଶ୍ରୀକୃଷ୍ଣପୁର ପଞ୍ଚାୟତରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ, ସେହି ପଞ୍ଚାୟତର ପ୍ୟାରୀମୋହନ ହାଇସ୍କୁଲ ପଶୁଲୁଣ୍ଡା ଠାରେ ଏଭଳି ଏକ ଶିବିର ଆୟୋଜନ କରି ସେଠାରେ ଶହଶହ ଲୋକଙ୍କୁ ରୁଣ୍ଡ କରାଯିବା ଦୃଶ୍ୟ ଆଶ୍ଚର୍ୟ୍ୟ କରିଛି । କାହା ମୁହଁରେ ମାସ୍କ ନାହିଁତ କେହି ଜଣେବି ସମଦୂରତ୍ୱ କିମ୍ବା ସାନିଟାଇଜେସନ କରିବା ଦେଖିବାକୁ ମିଳୁନି । ସବୁଠାରୁ ଗୁରୁତ୍ୱର କଥା ଏହି ହାଇସ୍କୁଲରେ ଚାଲିଥିବା ଦଶମ ଶ୍ରେଣୀ ପ୍ରି ମାଟ୍ରିକ ପରୀକ୍ଷା ନିକଟସ୍ଥ ପ୍ରାଇମେରୀ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ନବମ ଶ୍ରେଣୀ ପିଲାଙ୍କ କ୍ଲାସକୁ ସସ୍ପେଣ୍ଡ କରିଦିଆଯାଇଛି । ଶିକ୍ଷାଦାନ ଓ ପରୀକ୍ଷା ଉଭୟ କାର୍ୟ୍ୟରେ ବାଧା ସୃଷ୍ଟି କରି ଏଭଳି ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜନ ପାଇଁ ଏହି ବିଦ୍ୟାଳୟକୁ କିପରି ବଚ୍ଛାଗଲା ସେନେଇ ନାନାକଥା ଶୁଣିବାକୁ ମିଳୁଛି ।
ସକାଳ ୭ଟା ରେ ଶିବିର ଆରମ୍ଭ ହେବାକୁ ଘୋଷଣା ହୋଇଥିଲା ବେକେ ଦିନ ଦଶଟା ପରେ ହଜାର ହଜାର ଲୋକଙ୍କୁ ବିନା କୋଭିଡ ପରୀକ୍ଷାରେ ଗୋଟିଏ ବିଦ୍ୟାଳୟ ପରିସରରେ ଏକାଠି ହେବାକୁ କିଏ ଅନୁମତି ଦେଲା ତା କୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ବାବଦରେ ବିଇଓ ନିଜ ମୁଣ୍ଡରୁ ବୋଝ ହଟେଇ ଏବିଇଓ ଙ୍କ ଆଡକୁ ଠେଲି ଦେଇଥିଲାବେଳେ, ପ୍ରଧାନଶିକ୍ଷକ ଏଥିପାଇଁ ବିଡ଼ିଓଙ୍କୁ ଦାୟୀ କରିଛନ୍ତି । ଖରା ତରାରେ ବହୁ ଦୂରଦୂରାନ୍ତରୁ ଆସିଥିବା ଭିନ୍ନକ୍ଷମ ଏବଂ ତାଙ୍କ ସହଯୋଗୀ ମାନେ ପ୍ରଶାସନର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ଦେଖିବାକୁ ମିଳିଛି । ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜର,ଜଳଖିଆ, ମଧ୍ୟାହ୍ନ ଭୋଜନ, ପିଇବା ପାଣି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବନ୍ଦୋବସ୍ତ ନଥିବା ଅଭିଯୋଗ ହୋଇଛି । ଏହି ଭିନ୍ନକ୍ଷମ ଶିବିର ନାଆଁରେ କରୋନା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର