ନିରାକାରପୁର, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- ଉତ୍କଳୀୟ ଐତିହ୍ୟ ,ସଂସ୍କୃତି,ପରମ୍ପରା ଓ ଭାଇଚାରାର ନିଦର୍ଶନ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଦେବ ବିଜେ ଲେଣ୍ଡୁଙ୍କ ଫୁଲଦୋଳ ମେଳଣ ତଥା ଆଂଚଳିକ ଦୋଳ ମହୋତ୍ସବ ଗତ ୨୯ ତାରିଖଠାରୁ ୩୧ ତାରିଖ ପଯ୍ୟନ୍ତ କୋଭିଡ଼ -୧୯ କଟକଣା ମଧ୍ୟରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଅଛି । ଏଥିରେ ଥାନପତି ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଦେବ ବିଜେ ,ଲଳିତାପାଟପୁର ଶ୍ରୀ ଶ୍ରୀ ବୃନ୍ଦାବନଚନ୍ଦ୍ର ଦେବ ବିଜେ, ଗୋପିନାଥ ଦେବ ବିଜେ, ଲେଣ୍ଡୁ ଗୋପିନାଥପୁର ଭଗବତ ଦେବ ବିଜେ, ମୈତ୍ର ତ୍ରିଲୋଚନପୁର ଆଖଣ୍ଡଳମଣି ଦେବ ବିଜେ, ଆରେଡ଼ି ,ରାଧାକୃଷ୍ଣ ଦେବ ବିଜେ, କାଶୀପୁର. ଭଗବତ ଦେବ ବିଜେ , କାଶୀପୁର, ମା ହରଚଣ୍ଡି ବିଜେ , ନିରାକାରପୁର, କପିଳେଶ୍ୱର ଦେବ ବିଜେ , ପାଣ୍ଡବପାଟଣା ଆଦି ଦେବା ଦେବୀମାନେ ଦୋଳ ବିମାନରେ ବିରାଜମାନ କରିଥିଲେ ।ଆମ୍ରବନ ଘେରା ପ୍ରାକୃତିକ ପରିବେଷ୍ଟନି ମଧ୍ୟରେ ବିଭିନ୍ନ ଅଂଚଳରୁ ଭକ୍ତମାନେ ଆସି ଦୋଳ ବିମାନରେ ଠାକୁରଙ୍କ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଥିଲେ । ଓଡ଼ିଶା ସମାଚାର
