ଭୁବନେଶ୍ୱର, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଜୟଦେଦ ଭବନଠାରେ ଏକ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସିଟିଏମ୍. ସୁଗୁଣାଙ୍କ ତତ୍ୱାବଧାନରେ ସୁଶ୍ରୀ ପ୍ରଣତି ସ୍ୱାଇଁ ଓ ରାଜେନ୍ଦ୍ର କୁମାର ଜେନା – ଶାରୀରିକ ଦିବ୍ୟାଙ୍ଗ, ମାନସ କୁମାର ସାମାଲ, ସାଗରକାନ୍ତ ସେନାପତି – ବାକ୍ ଓ ଶ୍ରବଣଶକ୍ତି ରହିତ, ସନ୍ତୋଷ କୁମାର ମହାରଣା ଓ ରଘୁନାଥ ବାରିକ – ଦୃଷ୍ଟିଶକ୍ତି ବିହୀନ ଏବଂ ମିସ୍ ମିନା ରାଓ ଓ ମିସ୍ ଅନୁପମା ବେହେରା- ମାନସିକ ଅନଗ୍ରସର, ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ଓଡିଶାର ମାନ୍ୟବର ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ଦେଶ ଓ ରାଜ୍ୟ ପାଇଁ ଗୈାରବ ଆଣିଥିବା ଏହି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏକ ମାନପତ୍ର ସହ ଟ୨୫,୦୦୦/- ଟଙ୍କାର ଚେକ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏହି ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କର ଉଦ୍ୟମ ପାଇଁ ପୁରସ୍କୃତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି । ଏତଦ୍ ବ୍ୟତୀତ ଏହି ସଭାରେ ବିଭିନ୍ନ ବର୍ଗର ଅତିଥିମାନେ ଉପସ୍ଥିତ ରହି, ଏହି ଦିବ୍ୟାଙ୍ଗମାନଙ୍କୁ ଦେଶ ଓ ରାଜ୍ୟ ପାଇଁ ସେମାନଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସମ୍ମାନିତ କାର୍ଯ୍ୟକ୍ରମକୁ ରେଡକ୍ରସର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଗୌରୀମଣୀ ବିଶ୍ୱାଳ, ଚନ୍ଦନ କୁମାର ସ୍ୱାଇଁ ସହାୟତା କରିଥିଲେ । ଓଡ଼ିଶା ସମାଚାର