ପାରାଦୀପ,୦୧/୦୪/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ନଗରୀ ପାରାଦୀପରେ ଗ୍ରୀଷ୍ମର ତାଣ୍ଡବ ଆରମ୍ଭ ହୋଇସାରିଛି । ଲୋକେ ଘରୁ ବାହାରିକା ମୁସ୍କିଲ୍ । ଏଭଳି ସମୟରେ ଲୋକଙ୍କ ଉପରେ ଦାଉ ସାଧୁଛି ବିଦ୍ୟୁତ ବିଭାଗ । ବିଦ୍ୟୁତ୍ ଦେୟ ବାକିଆ ଆଳରେ ମନୋମୁଖୀ ବିଦ୍ୟୁତ ସଂଯୋଗ କାଟୁଛି ବିଦ୍ୟୁତ ବିଭାଗ । ସଂଯୋଗ କାଟିବା ପାଇଁ ଅନେକ ନୀତି ନିୟମ ରହିଥିଲେ ହେଁ ସେସବୁକୁ ଭୃକ୍ଷେପ ନକରି ବିଦ୍ୟୁତ ବିଭାଗର କର୍ମଚାରୀମାନେ ଗୋଟିଏ ପରେ ଗୋଟିଏ ଉପଭୋକ୍ତାଙ୍କ ସଂଯୋଗ କାଟି ଚାଲିଛି । ଖବର ନେବାରେ ଜଣାପଡ଼ିଛି ପାରାଦୀପ ବିଦ୍ୟୁତ ବିଭାଗ ଅଧୀନରେ ପାରାଦୀପଗଡ଼ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ଅଂଚଳ ରହିଛି । ଏହିସବୁ ଅଂଚଳରେ ଅନେକ ଛୋଟବଡ଼ କଳାକାରଖାନା ସମେତ ହଜାର ହଜାର ସଂଖ୍ୟାରେ ଘରୋଇ ଉପଭୋକ୍ତା ରହିଛନ୍ତି ।
ବିଦ୍ୟୁତ ଦେୟ ସଠିକ ସମୟରେ ଭରୁ ନ ଥିବା ଉପଭୋକ୍ତାଙ୍କ ସଂଯୋଗ କାଟିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଧମକ ଦିଆଯିବା ନୂଆ କଥା ନୁହେଁ । ତେବେ ଗତକାଲି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଦେୟ ଦେବାକୁ ବିଦ୍ୟୁତ ବିଭାଗ ପକ୍ଷରୁ କୁହା ଯାଇଥିଲା । ଏହି କ୍ରମରେ ଅନେକ ଉପଭୋକ୍ତା ସେମାନଙ୍କ ବିଲ୍ ପୈଠ କରିଛନ୍ତି । କିନ୍ତୁ କୋ÷ଣସି କାରଣବଶତଃ ବିଦ୍ୟୁତ ଦେୟ ଗତକାଲି ଭରିପାରି ନ ଥିବା ଉପଭୋକ୍ତାଙ୍କୁ ଗୋଟିଏ ବିନ ସମୟ ନ ଦେଇ ଆଜି ୧ ତାରିଖରେ ବିଦ୍ୟୁତ ବିଭାଗ ପକ୍ଷରୁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସଂଯୋଗ କାଟି ଦେଇଥିବା ଜଣାପଡ଼ିଛି । କିଛି ଉପଭୋକ୍ତାଙ୍କ କହିବା କଥା ହେଉଛି ଗତ ସପ୍ତାରେ ହେଲା ବ୍ୟାଙ୍କ ଏକପ୍ରକାର ଛୁଟି ରହିଆସିଛି । ମଝିରେ ଗୋଟିଏ ଦିନ ବ୍ୟାଙ୍କ ଖୋଲାଥିଲା । ୪ ତାରିଖ ପରଠାରୁ ବ୍ୟାଙ୍କରେ ଆଉ ଏଭଳି ଛୁଟି ଦିବସ ରହିବ ନାହିଁ । ଏହି ବ୍ୟାଙ୍କ ଛୁଟି ପାଇଁ ଅନେକ ବ୍ୟକ୍ତି ତଥା ବ୍ୟବସାୟୀ ସଂସ୍ଥା ସଠିକ ଭାବେ କାରବାର କରିପାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭାଗ ହଠାତ୍ ବିଦ୍ୟୁତ ସଂଯୋଗ କାଟିଦେବା ଏକ ପ୍ରକାର ଦାଦାଗିରି କରୁଛି । ବିଦ୍ୟୁତ ସଂଯୋଗ କାଟିବା ପାଇଁ ପୂର୍ବରୁ ସଂପୃକ୍ତ ଉପଭୋକ୍ତାଙ୍କୁ ନୋଟିସ୍ ଦେବାର ନିୟମ ରହିଛି । ଏହାଛଡ଼ା ଆହୁରି ଅନେକ କାଇଦା କଟକଣା ରହିଛି ବିଦ୍ୟୁତ ସଂଯୋଗ କାଟିବା ନେଇ । କିନ୍ତୁ ବିଭଗେୀୟ କର୍ତୃପକ୍ଷ ସେସବୁକୁ ଭୃକ୍ଷେପ ନ କରି ହଠାତ୍ ସଂଯୋଗ କାଟୁଛନ୍ତି । ସେହିପରି ଏବେ ରାଜ୍ୟରେ ଗ୍ରୀଷ୍ମ ଯୋଗୁଁ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି । ବିଶେଷକରି ଏଠାରେ ଥିବା ତୈଳ ବିଶୋଧନାଗାର, ଇଫକୋ ଓ ମିତଲ ଭଳି କାରଖାନାରୁ ନିର୍ଗତ ହେଉଥିବା ଧୂଅାଁ ପରିବେଷକୁ ଅଧିକ ଉତପ୍ତ କରୁଛି । ପୁନଶ୍ଚ ପ୍ରତ୍ୟହ ହଜାର ହଜାର ଆଇରନ୍ ଓ କୋଇଲା ବୋଝେଇ ଟ୍ରକ୍ ଏହି ସହରରେ ଯାତାୟାତ କରିବା ମଧ୍ୟ ପରିବଷକୁ ଅଧିକ ଉତପ୍ତ କରୁଛି । ଏଣୁ ଏହି ଧୁ ଧୁ ଖରା ସମୟରେ ଉପଭୋକ୍ତାଙ୍କୁ ପୂର୍ବ ସୂଚନା ନଦେଇ ବିଦ୍ୟୁତ ବିଭାଗ ଏଭଳି ମନମାନୀ କରିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି । ଏ ଦିଗରେ ବିଦ୍ୟୁତ ବିଭାଗ ଯତ୍ନବାନ ହେବା ସହିତ ପ୍ରଶାସନ ଲୋକଙ୍କ ସୁବିଧା ପାଇଁ ବିଦ୍ୟୁତ ବିଭାଗକୁ ଏଭଳି ମନମାନୀକୁ ରେକିବା ଦିଗରେ ପଦକ୍ଷେପ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଓଡ଼ିଶା ସମାଚାର