Wednesday , March 29 2023
Home / ବିଶେଷ /   ୪୮ ବର୍ଷର ଭୁବନ ଏନଏସିରେ ନାହିଁ ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗାର

  ୪୮ ବର୍ଷର ଭୁବନ ଏନଏସିରେ ନାହିଁ ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗାର

 ଭୁବନ ୩୧/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭାବେ ପରିଚିତ । ୧୯୭୨ ମସିହାରେ ଏହା ଏନଏସି (ବିଜ୍ଞାପିତ ଅଂଚଳ ପରିଷଦ) ରେ ପରିଣତ ହୋଇଛି । ଦୀର୍ଘ ୪୮ ବର୍ଷର ଏନଏସିରେ ଜନସାଧାରଣ ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଭୁବନର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ତଥା ମୁଖଶାଳା କୁହାଯାଉଥିବା ନୂଆବଜାର (ବସଷ୍ଟାଣ୍ଡ)ରେ ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗାର ନଥିବାରୁ ଯାତ୍ରୀ ମାନେ ପ୍ରବଳ ଖରାରେ ବିଭିନ୍ନ ଦୋକାନ ବାରଣ୍ଡା ଓ ହୋଟେଲ ଦୁଆରେ ବସ୍ କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ପରିଶ୍ରାଗାର ନଥିବାରୁ ପୁରୁଷ ଲୋକମାନେ ପୁରୁଣା ଥାନା ପାଚେରୀ କଡରେ କାମ ସାରଦେଉଥିବା ବେଳେ ମହିଳା ମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି । ନୂଆବଜାରରେ ପୂର୍ବରୁ ଏକ ଯାତ୍ରୀ ବିଶ୍ରାମାଗାର ଥିଲା କିନ୍ତୁ ତାହାକୁ ଏକ ଘରୋଇ ବ୍ୟାଙ୍କ ଏଟିଏମ କରିବା ଉଦ୍ଧେଶ୍ୟରେ ବନ୍ଦ କରାଯାଇ ଉପରମହଲାରେ ଯାତ୍ରୀ ବିଶ୍ରାମାଗାର ଯୋଜନା ହେବାରୁ ତୀବ୍ର ଜନଅସନ୍ତୋଷ ଦେଖାଦେଲା । ଫଳରେ ଏନଏସି ତାହାକୁ କିଛିଦିନ ଗୋଦାମ ଘର କରିବା ପରେ ପୁଣି ଖୋଲିଥିଲା । ବିଶ୍ରାମାଗାରକୁ ଲାଗି ପରିଶ୍ରାଗାର କରାଯାଇଥିଲେ ମଧ୍ୟ ନିୟମିତ ସଫାସୁତରା ଓ ରକ୍ଷଣାବେକ୍ଷଣ କରାନଯିବା କାରଣରୁ ତାହା ପୁତିଗନ୍ଧମୟ ପରିବେଶ ସୃଷ୍ଟି କଲା । ପରବର୍ତି ସମୟରେ ଏହାକୁ ତାଲା ପକାଇ ରଖାଗଲା । ଥଣ୍ଡା ପାନୀୟଜଳ ପ୍ରକଳ୍ପଟି ମଧ୍ୟ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି । ବିଶ୍ରାମାଗାରଟି ସର୍ବଦା ଅପରିଷ୍କାର ଓ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଅସାମାଜିକ ବ୍ୟକ୍ତି ସେଠାରେ ଦିନବେଳେ ଗେଞ୍ଜଇ ସେବନ କରୁଥିବା ବେଳେ ରାତିରେ ମଦ୍ୟପାନ କରୁଛନ୍ତି । ଏଥିପାଇଁ ଜଣେ ହେଲେ ଯାତ୍ରୀ ସେହି ସ୍ଥାନକୁ ଯାଉନାହାଁନ୍ତି । ତାଛଡା ଏହି ସଟରଲଗା ଗୃହଟି ଯାତ୍ରୀ ବିଶ୍ରାମାଗାର ବୋଲି ଏନଏସି ତରଫରୁ କୌଣସି ଲେଖା (ୱାଲିଙ୍ଗ) କିମ୍ବା ସାଇନବୋର୍ଡ ଲଗାଯାଇ ନଥିବାରୁ ଯାତ୍ରୀମାନେ ଜାଣିପାରୁନାହାନ୍ତି । ଭୁବନର ବାଇପାସ ରୋଡ ଭାବେ ପରିଚିତ କାଳୀବଜାରରେ ମଧ୍ୟ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଲୋକେ ଦୋକାନ ବାରଣ୍ଡା ଓ କାଳୀମନ୍ଦିର ଦୁଆରେ ଛିଡା ହେଉଛନ୍ତି । ଶୁଲଭ ଶୌଚାଳୟଟିଏ ଯଦିଓ ଖୋଲିଛି ତାହା କାଳୀବଜାର ଛକଠାରୁ ଶହେ ମିଟର ଦୂରରେ ରହିଥିବାରୁ ବାହାରୁ ଆସୁଥିବା ଯାତ୍ରୀମାନେ ଜାଣିପାରୁ ନାହାନ୍ତି । ଭୁବନର ଏହା ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଆଗକୁ ଆସୁଥିବା ପୌର ନିର୍ବାଚନରେ ଏକ ପ୍ରସଙ୍ଗ ହେବାକୁ ଯାଉଥିବାରୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.