ଭୁବନେଶ୍ୱର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ଔଷଧ ନିଗମ କୋଭିଡ୍- ୧୯ର ମୁକାବିଲା ଲାଗି ଉଦ୍ଧିଷ୍ଟ ସାମଗ୍ରୀ ପିପିଇ କିଟ୍, ସାନିଟାଇଜର ଓ ମାସ୍କ କିଣାରେ ବ୍ୟାପକ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ ଗତ ଜୁନ୍ ୮ ତାରିଖରେ ସର୍ବପ୍ରଥମେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଯେଉଁ ମାମଲା ଦାୟର କରାଯାଇଥିଲା ସେଥିରେ ବିଭିନ୍ନ ବିଭାଗ ସଚିବଙ୍କ ସହିତ ରାଜ୍ୟ ମୁଖ୍ୟ ଶାସନ ସଚିିବଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯାହାର କେସ୍ ନମ୍ବର ଖଣ-୫୮୩/୨୦୨୦ । ପୂର୍ବରୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ । ଗତ ତା ୭.୧୨.୨୦୨୦ରିଖରେ ମାନ୍ୟବର ଲୋକାୟୁକ୍ତଙ୍କ ସ୍ପେଶାଲ ବେରେ ଶୁଣାଣୀ ଦୀର୍ଘ ସମୟ ଧରି ଚାଲିଥିଲା । ଉଭୟ ଆବେଦନକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଭିଜିଲାନ୍ସକୁ ଏହାର ପ୍ରାଥମିକ ତଦନ୍ତ କରି ଦୁଇମାସ ମଧ୍ୟରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଗତ ତା ୧୬.୦୩.୨୦୨୧ରିଖରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ପ୍ରଥମେ ମାନ୍ୟବର ଲୋକାୟୁକ୍ତ ଆମକୁ ଏହି ରିପୋର୍ଟ ଅନୁଧ୍ୟାନ କରିବାକୁ ଦିଆଯିବ ବୋଲି କହିଥିଲେ ମଧ୍ୟ ପରବର୍ତୀ ସମୟରେ ଆମେ ଏହା ପାଇବାରେ ବିଫଳ ହୋଇଥିଲୁ ।
ଶୁକ୍ରବାର ନିର୍ଦ୍ଧାରିତ ଦିବା ୧୧ ଘଟିକା ସମୟରେ ମାନ୍ୟବର ଲୋକାୟୁକ୍ତଙ୍କ ତିନିଜଣିଆ ଖଣ୍ଡପୀଠ (ମାନ୍ୟବର ଲୋକାୟୁକ୍ତ, ଜଷ୍ଟିସ ବି.କେ ନାୟକ, ଜଷ୍ଟିସ ଦେବବ୍ରତ ସ୍ୱାଇଁ) ଏହାର ଚୂଡ଼ାନ୍ତ ନିଷ୍ପତି ଶୁଣାଇଥିଲେ । ଭିଜିଲାନ୍ସର ରିପୋର୍ଟ ଆଧାରରେ କୌଣସି ଦୁର୍ନୀତି ହୋଇନଥିବା କହିଥିଲେ । ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏକପାଖିଆ ନିଷ୍ପତି ଗଣତାନ୍ତ୍ରିକ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଆମକୁ କୌଣସି ସୁଯୋଗ ଦିଆନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ମାନ୍ୟବର ଲୋକାୟୁକ୍ତଙ୍କ ତଦନ୍ତ “ବହୁ ଆଡ଼ମ୍ବରରେ ଲଘୁକ୍ରିୟା” ପରିଣତ ହୋଇଛି । ପରବର୍ତୀ ସମୟରେ ନ୍ୟାୟିକ ଲଢେଇ ଜାରି ରହିବ ଏବଂ ଏହି ସଂଗଠିତ ମହାଦୁର୍ନୀତିର ପର୍ଦ୍ଧାଫାଶ ହେବ ବୋଲି ଓଡ଼ିଶା ବିକାଶ ପରିଷଦ ଆଶା ଓ ବିଶ୍ୱାସ ରଖିଛି । ଓଡ଼ିଶା ସମାଚାର
Home / ସ୍ୱାସ୍ଥ୍ୟ / ବହୁ ଚର୍ଚ୍ଚିତ ମାସ୍କ, ସାନିଟାଇଜର ଓ ପିପିଇ କିଟ୍ କିଣା ଦୁର୍ନୀତିରେ ମାନ୍ୟବର ଲୋକାୟୁକ୍ତଙ୍କ ତିନିଜଣିଆ ଖଣ୍ଡପୀଠର ଚୂଡ଼ାନ୍ତ ଶୁଣାଣୀ