ପାରାଦୀପ ୨୬/୦୩/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବେରୀ ପଂଚାୟତରେ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା(ଏନଆରଇଜିଏ)ରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହୋଇଛି । ନିକଟରେ ଆମ୍ବେରୀ ବାଲିକଣାରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖୋଳା ହେଉଥିବା ଏକ ପୋଖରୀଟି ସଂପୂର୍ଣ୍ଣ ମେସିନ ଜରୀଆରେ ଖୋଳା ହୋଇଥିବା ନେଇ ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି ଏହି ଯୋଜନାରେ ପୂର୍ବରୁ ହୋଇଥିବା ଏକାଧିକ କାମ ମଧ୍ୟ ଏହିପରି ମେସିନ୍ ଜରୀଆରେ ହୋଇଥିବା ଏବଂ ଏଥିରେ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଆମ୍ବେରୀ ପଂଚାୟତର ବାଲିକଣାରେ ଥିବା ପୋଖରୀର ପୁର୍ଣ୍ଣରୁଦ୍ଧାର ପାଇଁ ଉକ୍ତ ଯୋଜନାରେ ୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କୋଭିଡ଼୍ ସମୟରେ ଲୋକମାନେ କାମଧନ୍ଦା ନପାଇ ବହୁ କଷ୍ଟରେ କାଳ କାଟୁଛନ୍ତି । ଅପରପକ୍ଷେ ଏହି କାର୍ଯ୍ୟ ସଂପୂର୍ଣ୍ଣ ଶ୍ରମଭିତିକ ହୋଇଥିବାରୁ ସ୍ଥାନୀୟ ଅଂଚଳର ଅଣକୁଶଳୀ ଗରିବ ଗୁରୁବାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବାର ନିୟମ ରହିଛି । କିନ୍ତୁ ବିଭାଗୀୟ କର୍ତୃପକ୍ଷ ଏହି ନିୟମର ଖୋଲା ଉଲଙ୍ଘନ କରୁଥିବା ଦେଖାଯାଉଛି । ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରି ମେସିନ ଲଗାଇ ପୋଖରୀ ଖୋଳା ଚାଲିଛି । ଏପରିକି ଦିନ ସମୟରେ ମେସିନ୍ ଖୋଳିଲେ ଏହା ସମସ୍ତଙ୍କ ଦୃଷ୍ଟିକୁ ଆସିବା ଭୟରେ ବିଳମ୍ବିତ ରାତିରେ ପୋଖରୀ ଖୋଳା ଚାଲିଛି । ଆମ୍ବେରୀ ପଂଚାୟତ ଜିଲାର ଏକ ପଛୁଆ ପଂଚାୟତ ଭାବେ ଜଣାଶୁଣା । ଏହି ପଂଚାୟତର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ସୀମରେଖା ତଳେ ବାସ କରୁଛନ୍ତି । ଏପରିକି ଅଧିକାଂଶ ଲୋକ ଦିନ ମଜୁରୀଆ ତଥା ମୁଲମଜୁରୀ ଲାଗି ପରିବାର ପୋଷୁଛନ୍ତି । ଏଭଳି ପରିସ୍ଥିତିରେ ଏହି ଶ୍ରମ ଭିତିକ ଯୋଜନାରେ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ ନ କରି ମେସିନ ଜରୀଆରେ ପୋଖରୀ ଖୋଳିବା ଗରିବ ଗୁରୁବାଙ୍କ ପେଟରେ ଲାତ ମାରିବା ଭଳି ହୋଇଛି । କୋଭିଡ଼୍ ଯୋଗୁଁ ଲୋକଙ୍କ ଚଳିବା ଅବସ୍ଥା ଦୟନୀୟ ଅବସ୍ଥାରେ ରହିଛି । ଏପରି ସ୍ଥଳେ ଏହି ଶ୍ରମିକଙ୍କ ପାଇଁ ଆସୁଥିବା ଅର୍ଥକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଳିତ ଭାବେ ହଡ଼ପ କରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ତିର୍ତୋଲ ଗୋଷ୍ଠି ଉନ୍ନୟନ ଅଧିକାରୀ କହିଛନ୍ତି ଏ ସଂକ୍ରାନ୍ତରେ ଅଭିଯୋଗ ଶୁଣିବା ପରେ ଏହାର ତଦନ୍ତ ପାଇଁ ପିଆଇଓ ଏବଂ ସହକାରୀ ଯନ୍ତ୍ରୀଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର