Monday , March 20 2023
Breaking News
Home / ବିଶେଷ / ଅମାନିଆ ଆଇରନ୍ ଟ୍ରକ ଉପରେ ପାରାଦ୍ୱୀପ ପୋଲିସ୍ ର ଫାଇନ୍-  ୩ଦିନରେ ୩ଲକ୍ଷ ଆଦାୟ

ଅମାନିଆ ଆଇରନ୍ ଟ୍ରକ ଉପରେ ପାରାଦ୍ୱୀପ ପୋଲିସ୍ ର ଫାଇନ୍-  ୩ଦିନରେ ୩ଲକ୍ଷ ଆଦାୟ

ପାରାଦୀପ ୨୬/୦୩/୨୦୨୧(ଓଡ଼ିଶା ସମାଚାର)-ଦୈନିନ୍ଦିନ ହଜାର ହଜାର ଆଇରନ୍ ଟ୍ରକ୍ ପାରାଦ୍ୱୀପ ବନ୍ଦରକୁ ଆଇରନ ଓର ନେଇ ଆସିଥାନ୍ତି । ରାସ୍ତାମାନଙ୍କରେ ଟ୍ରାଫିକ୍ ସମସ୍ୟା ନ ଉପୁଜିବା ପାଇଁ ପୋଲିସ୍  ଓ ବନ୍ଦର ପ୍ରଶାସନ ସମେତ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସ୍ଥାନୀୟ ଗାଡିମାନେ ଏହାକୁ ଖାତିରି କରୁ ନ ଥିବା ଦେଖା ଯାଉଛି । ଗାଡି ମାଲିକମାନେ ଅଧିକ ଉପାର୍ଜନ ଲୋଭରେ ବିଭିନ୍ନ ଦଲାଲ ମାନଙ୍କ ସାହାଯ୍ୟରେ ନିଜ ନିଜର ଗାଡି ଗୁଡିକୁ ଓଭରଟେକ୍ କରାଇ ଶିଘ୍ର ପଣ୍ୟ ଖଲାସ କରାଇବାରେ ନିରନ୍ତର ଉଦ୍ୟମ କରି ଆସୁଛନ୍ତି । ଏଥି ପାଇଁ ଗାଡି ମାଲିକମାନେ ଗାଡି ପିଛା ୨୫୦୦ ଟଙ୍କା ଦେଉଥିବା ଶୁଣିବାକୁ ମିଳୁଛି । ଏତଦ୍ ବ୍ୟତୀତ ଭୁତମୁଣ୍ଡାଇ ନିକଟସ୍ଥ ମହାନଦୀର ଦୀର୍ଘ ପୋଲ ଉପରେ ଗାଡି ରଖିବା ବାରଣ ଥିବା ସତ୍ୱେ ବହୁ ମାଲବାହୀ ଟ୍ରକ୍ ଏହା ଉପରେ ଦୀର୍ଘ ସମୟ ଧରି ଛିଡା ହେବା ଫଳରେ ଏହି ପୋଲ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି । ତେବେ ବନ୍ଦର ସହର ପାରାଦ୍ୱୀପର ବ୍ୟସ୍ତବହୁଳ ପ୍ରବେଶ ପଥ ଦୋଛକିରୁ ଅଠରବାଙ୍କୀ ଗେଟ ପର୍ଯ୍ୟନ୍ତ ପାରାଦ୍ୱୀପ ଆଦର୍ଶ ପୋଲିସ୍ର କଡା ପ୍ରହରା ଫଳରେ ଗାଡି ଚଳାଚଳ ସ୍ୱଭାବିକ ଥିଲା ବେଳେ ମଧ୍ୟ ରାତ୍ରରେ ଦଲାଲମାନଙ୍କ ସହଯୋଗରେ ଗାଡିଗୁଡିକୁ ଓଭରଟେକ୍ କରାଯାଉଥିବା ଫଳରେ ସକାଳ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ରହୁଛି । ପାରାଦ୍ୱୀପ ପୋଲିସ୍ ଏ ସବୁ ସମସ୍ୟା ନିମନ୍ତେ ବିଭିନ୍ନ ପଦକ୍ଷପ ନେବା ସତ୍ୱେ ଅମାନିଆ ଟ୍ରକ୍ ମାନେ ନିଜ ସ୍ୱାର୍ଥ ପାଇଁ ଟ୍ରାଫିକ ନିୟମ ଭଙ୍ଗ କରି ସାଧରଣରେ ସମସ୍ୟା ସୃଷ୍ଟି କରୁଛନ୍ତି । ତେବେ ଶେଷରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ବାଧ୍ୟ ହୋଇ ଟ୍ରାଫିକ୍ ନିୟମ ଭଙ୍ଗକାରୀ ଗାଡି ଉପରେ ୫୦୦୦ ହଜାର ଟଙ୍କା ଲେଖାଏଁ ଫାଇନ୍ ବ୍ୟବସ୍ଥା କରି ଅମାନିଆ ଗାଡି ଓ ମାଲିକଙ୍କୁ ଝଟକା ଦେଇଛନ୍ତି । ତେବେ ଗତ ୩ ଦିନ ମଧ୍ୟରେ ପ୍ରାୟ ୬୦ଟି ଗାଡିରୁ ୩ ଲକ୍ଷ ଟଙ୍କା ଫାଇନ ଆଦାୟ ହୋଇଥିବା ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲଙ୍କ ଠାରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published.