Tuesday , March 21 2023
Breaking News
Home / ବିଶେଷ / ଏନଏଚ ୫୩ , ମାଟି ମୋରମ ଆସୁଛି କେଉଁଠୁ ? କୋଟିକୋଟି ଟଙ୍କାର ରାଜସ୍ୱ ହାନୀ

ଏନଏଚ ୫୩ , ମାଟି ମୋରମ ଆସୁଛି କେଉଁଠୁ ? କୋଟିକୋଟି ଟଙ୍କାର ରାଜସ୍ୱ ହାନୀ

                                       ଉପର ମହଲରେ ଡିଲ୍ ,ତଳେ ନିଲ୍

ଭୁବନ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଏବେ ୪ ଥାକିଆ ରାସ୍ତାକାମ ନିର୍ମାଣ ଚାଲିଥିବା ବେଳେ କୋଟି କୋଟି ଟଙ୍କାର ମାଟି ମୋରମ ଲୁଟ ହେଉଛି । ଭୁବନ ତହସିଲ ତରଫରୁ ଏନଏଚ ଠିକା କାମ କରୁଥିବା ବାଲାଜି କନଷ୍ଟ୍ରକସନ କମ୍ପାନୀକୁ କୌଣସି ଠାରେ ମାଟି କିମ୍ବା ମୋରମ ଖଣି ଲିଜ ଦିଆଯାଇନଥିବା ଖୋଦ ତହସିଲଦାର କହୁଥିବା ବେଳେ ଦୈନିକ ଶହଶହ ଟ୍ରିପ ମାଟି ମୋରମ ବ୍ୟବହାର ହେଉଥିବା ଆଶ୍ଚର୍ଯ୍ୟ ଲାଗୁଛି ।  ଏସବୁ  ମାଟି, ମୋରମ  ତେବେ ଆସୁଛି କେଉଁଠୁ  ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ୱ କରୁଛନ୍ତି । ବାଲାଜି କନଷ୍ଟ୍ରକସନ କମ୍ପାନୀ ଠାରୁ ଉପରମହଲ ଅଫିସର(ବିଭାଗୀୟ ଉଚ୍ଚ କର୍ତୃପକ୍ଷ)  ଅନୁଗୃହୀତ ହୋଇ ତଳ ମହଲରେ ଚାପ ପକାଇ ସଂପୃକ୍ତ କମ୍ପାନୀକୁ  ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି । ସ୍ଥାନୀୟ ତହସିଲ ପ୍ରଶାସନ ବାରମ୍ବାର ଚଢାଉ କରି ଲକ୍ଷାଧିକ ଟଙ୍କା ଫାଇନ ଆଦାୟ କରୁଥିବା ବେଳେ ସଂପୃକ୍ତ କମ୍ପାନୀ କୋଟିକୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ କରିବାରେ ଲାଗିଛି । ଏହି ୪ ଥାକିଆ ରାସ୍ତା କାମରେ  କେବଳ ବିଲ ମାଟି ସାଙ୍ଗକୁ ପ୍ରବଳ ମାତ୍ରାରେ ବେଆଇନ ମୋରମ ବ୍ୟବହାର ହେଉଥିବାରୁ ପ୍ରବଳ ଧୂଳିରେ ଲୋକେ ଅଣନିଶ୍ୱାସୀ  ହୋଇପଡୁଛନ୍ତି । ଭୁବନର ପ୍ରବେଶପଥ  ଅନନ୍ତପୁର ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ୮ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଛି । ଏନଏଚ ର କୌଣସି କର୍ତୃପକ୍ଷ ଙ୍କ ଦେଖାଦର୍ଶନ ମିଳୁନଥିବା ବେଳେ ଠିକାକାମ ନେଇଥିବା ବାଲାଜି କନଷ୍ଟ୍ରକସନ କମ୍ପାନୀ ନିମ୍ନମାନର ଓ  ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଲୋକେ ଧୂଳିରେ ପୋତି ହୋଇପଡୁଛନ୍ତି ଓ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି  । ଲୋକମାନେ ଧୂଳିଧୂଆଁରେ ପୋତିହେବା ଫଳରେ ବିଭିନ୍ନ  ଚର୍ମ ରୋଗ ସମେତ ଶ୍ୱାସ ,କାଶ ରୋଗରେ ମଧ୍ୟ ପୀଡିତ ହେଉଛନ୍ତି । । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ସେପଟେ ୪ ଟିିକିଆ ରାସ୍ତା କାମ ଯେତେ ଅଗ୍ରଗତି ହେଉଛି ଏପଟେ ପୁରୁଣା ରାସ୍ତା ଭାଙ୍ଗିରୁଜି ନଷ୍ଟହୋଇ  ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହେଉଛି । ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇୱା ଟ୍ରକ ଟାଉନ ଭିତରେ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେବା ସହିତ ଧୂଳିଯୋଗୁ ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ।   ରାସ୍ତା କାର୍ଯ୍ୟରେ ଲାଗିଥିବା କମ୍ପାନୀ ହାଇୱା ସମେତ  ଅନବରତ କୋଇଲା ବୋଝେଇ ୧୦ ଚକିଆ ଟ୍ରକ ଚାଲୁଥିବାରୁ ବାଇକ ଆରୋହୀ ମାନେ ଧୂଳିଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି ଓ ବେଳେବେଳେ  ଖାଲରେ ମଧ୍ୟ ପଡୁଛନ୍ତି । ପୂର୍ବରୁ ଏହି ରାସ୍ତାରେ ଦୈନିକ ପାଣି ସିଂଚନ କରାଯାଉଥିବା ବେଳେ ତହସିଲଦାର,ଆଇଆଇସି ଙ୍କ ତାଗିଦ ସତ୍ୱେ ସଂପୃକ୍ତ କମ୍ପାନୀ ଗାଲୁଆମୀ କରି ଦୀର୍ଘଦିନ ହେଲା ଆଉ ପାଣି ସିଂଚନ ମଧ୍ୟ କରୁନାହିଁ । ଫଳରେ ମାତ୍ରାଧିକ ପ୍ରଦୂଷଣରେ ଭୁବନବାସୀ ହନ୍ତସନ୍ତ ହେଉଛନ୍ତି । ଅତିତରେ ଏହି ରାସ୍ତାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ଯାହିତାହି ମରାମତି କରି କାମ ସାରି ଦେଉ ଥିବାରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ପୁଣି ଯଥାପୂର୍ବଂ  ତଥା ପରଂ ହୋଇଯାଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ଅନ୍ୟଥା ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନି ଦିଆଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.