ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ପିପିଲି ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଏପ୍ରିଲ ୧୭ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ। ଆଜିଠାରୁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୩୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ ଜାରି ରହିବ। ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ।ଏପ୍ରିଲ ୩ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ମଇଁ ୨ ତାରିଖରେ ଭୋଟ ଗଣତି କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି। ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ସବୁଠାରୁ ବଡ଼କଥା ହେଲା କି, ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ସଂଶ୍ଳିଷ୍ଟ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ। ସମସ୍ତଙ୍କୁ ଠିକ୍ ସମୟରେ ଟିକାକରଣ ମଧ୍ୟ କରାଯିବ। ପ୍ରଚାର ବେଳେ ବେଶି ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ। କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ। ପୂର୍ବ ଉପନିର୍ବାଚନ ଭଳି ସାମାଜିକ ଦୂରତା ନିୟମ ପାଳନ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଆଜି ମାର୍ଚ୍ଚ ୨୩ ତାରିଖ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ ର ୧ମ ଦିନ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରୁ କାହାକୁ ଟିକେଟ୍ ମିଳିବ କି ଅନ୍ୟ କାହାକୁ ପ୍ରାର୍ଥୀ କରାଯିବ ସେ ସମ୍ପର୍କରେ ଦଳ କିଛି ସ୍ପଷ୍ଟ ସଂକେତ ଦେଇନାହିଁ । ଆଶାୟୀ ତାଲିକାରେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି ।
ବିଜେପିରୁ ଆଶ୍ରିତ ପଟ୍ଟନାୟକଙ୍କ ନାଁ ଶୁଣାଯାଉଛି । ଆଶ୍ରିତ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେର ଯୁବନେତା ନିଶିକାନ୍ତ ମିଶ୍ର ଓ ଜିଲ୍ଲା ସଭାପତି ତଥା ଗତଥରର ପ୍ରାର୍ଥୀ ଅଜିତ ମଙ୍ଗରାଜ ଟିକେଟ୍ ଆଶାୟୀ ଥିବା ଜଣାପଡିଛି । ଓଡ଼ିଶା ସମାଚାର