କେନ୍ଦ୍ରାପଡ଼ା, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ୩ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛି ୧୦ବର୍ଷର ନାବାଳିକା ସୁହାନୀ । କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡାରୁ ଏକ ଟିମ ଉତରପ୍ରଦେଶର ନୋଏଡାକୁ ଯାଇ ସେଠାରୁ ନାବାଳିକା ସୁହାନୀକୁ ଉଦ୍ଧାର କରି ଆଜି ଏଠାରେ ପହଁଚିଛି । ଏଠାରେ ସଂପୃକ୍ତ ଉଦ୍ଧାରୀକାରୀ ଟିମ ସୁହାନୀକୁ ଆଣି ପହଁଚିବା ପରେ ତାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ନିକଟରେ ହାଜର କରାଯାଇଥିଲା । ଜିଲ୍ଲାପାଳ ସୁହାନୀକୁ ଏକ ସ୍କୁଲ ବ୍ୟାଗ, କଣ୍ଢେଇ, ଚକୋଲେଟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । କିନ୍ତୁ ସୁହାନୀ ଜୀବନରେ ଏକ ଦୁଃଖଦ ଅଧ୍ୟାୟ ଆରମ୍ଭ ହୋଇଥିଲା ଯେତେବେଳେ ତା’ର ପିତା ଦ୍ୱିତୀୟ ବିବାହ ପରେ ଗାଁରେ ସୁହାନୀକୁ ଏକା ଛାଡିଦେଇ ପଳାଇଯାଇଥିଲେ । ଏହାପରେ ସୁହାନୀଙ୍କ ଜୀବନର ଚଲାପଥ ସଂପୂର୍ଣ୍ଣ ବଦଳି ଯାଇଥିଲା । ସୁହାନୀ ଜୀବନରେ ଯେମିତି କଳାବାଦଲ ପରି ସବୁ ଦୁଃଖ ଓ କଷ୍ଟ ମାଡିଆସିଥିଲା । ୨୦୧୮ମସିହାରେ କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗ୍ରାମର ସନ୍ତୋଷ କୁମାର ଜେନା ଦ୍ୱିତୀୟ ବିବାହ କରି ଗାଁରେ ତାଙ୍କ ଝିଅ ସୁହାନୀକୁ ଏକା ଛାଡିଦେଇ ଅନ୍ୟତ୍ର ଚାଲିଯାଇଥିଲେ । ଏହାପରେ ସୁହାନୀର ଦାଦା ଓ ଖୁଡି ତାକୁ ଦେଖାଶୁଣା କରିବା ନିମନ୍ତେ ସାଙ୍ଗରେ ନେଇ ଦିଲ୍ଲୀ ଚାଲିଯାଇଥିଲେ । କିନ୍ତୁ ସେଠାରେ ଦାଦା ଓ ଖୁଡି ସୁହାନୀର ଦେଖାଶୁଣା କରିବା ବଦଳରେ ତାକୁ ନାନା ପ୍ରକାର ନିର୍ଯ୍ୟାତନା ଦେଇଥିଲେ । ଏସମ୍ପର୍କରେ ସୁହାନୀ ଠାରୁ ଦିଲ୍ଲୀରେ ସେ ପଢୁଥିବା ସ୍କୁଲର ଶିକ୍ଷକ ଜାଣିବାକୁ ପାଇବା ପରେ ତୁରନ୍ତ ଏସମ୍ପର୍କରେ ସ୍ଥାନୀୟ ଚାଇଲଡ ଲାଇନକୁ ଖବର ଦେଇଥିଲେ । ଦିଲ୍ଲୀର ଚାଇଲଡ ଲାଇନ ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ତାହା ସତ ବୋଲି ଜାଣିବା ପରେ ସୁହାନୀକୁ ତାର ଦାଦାଙ୍କ ଘରୁ ଗତ ୨୦୧୯ମସିହା ଡିସେମ୍ବର ମାସରେ ଉଦ୍ଧାର କରାଯାଇ ସ୍ଥାନୀୟ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା । ଉତରପ୍ରଦେଶର ଗୈାତମବୁଦ୍ଧନଗରସ୍ଥିତ ଶିଶୁମଙ୍ଗଳ ସମିତିଙ୍କ ନିର୍ଦେଶକ୍ରମେ ସୁହାନୀକୁ ଉତରପ୍ରଦେଶର ‘ସାଇକୃପା ସେଲଟର ହୋମ’ରେ ରକ୍ଷାଯାଇଥିଲା । ଗତ ୨୦୨୦ମସିହା ଜାନୁଆରୀ ମାସରେ ଏସମ୍ପର୍କରେ କେନ୍ଦ୍ରାପଡା ଜିଲାପାଳଙ୍କୁ ନୂଆଦିଲ୍ଲୀର ଆବାସୀକ କମିଶନରଙ୍କ ଦ୍ୱାରା ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଥିଲା । କିନ୍ତୁ କେନ୍ଦ୍ରାପଡା ଜିଲାପାଳଙ୍କ ପକ୍ଷରୁ ନୂଆଦିଲ୍ଲୀର ଶିଶୁ ମଙ୍ଗଳ ସମିତି ସହିତ ସୁହାନୀକୁ ସେଠାରୁ ଏଠାକୁ ଅଣାଯିବା ନିମନ୍ତେ ଯୋଗାଯୋଗ କରାଯାଇଥିଲେବି କରୋନା କଟକଣା ଦୃଷ୍ଟିରୁ ସେତେବେଳେ ଅଣାଯାଇ ପାରିନଥିଲା ବେଲି ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଦିଲ୍ଲୀର ପ୍ରବାସୀ ଓଡିଆ ସଂଗଠନ ଓଡିଆ ମହାମଂଚ ନିର୍ଦେଶକ ଗୋବର୍ଦ୍ଧନ ଧଳ ସେଲଟର ହୋମରେପହଁଚି ସୁହାନୀକୁ ଓଡିଶାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲେ । ଏବେ ଆବଶ୍ୟକ ଯୋଗାଯୋଗ କରାଯିବା ପରେ କେନ୍ଦ୍ରାପଡା ଜିଲା ଶିଶୁ ସୁରକ୍ଷା ୟୁନିଟର ଏକ ଟିମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ଶିଶୁ ମଙ୍ଗଳ ସମିତି ସଭ୍ୟା ଲଳିତାଞ୍ଜଳି ଦାସ ଗତ ୧୪ତାରିଖରେ ନୂଆଦିଲ୍ଲୀ ଯାଇ ସେଠାରୁ ସୁହାନୀକୁ ଉଦ୍ଧାର କରି ଆଜି ତାକୁ ଗରାପୁରସ୍ଥିତ ଜିଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଜିଲାପାଳ ଶ୍ରୀ ଋତୁରାଜଙ୍କ ନିକଟରେ ହାଜର କରାଇଥିଲେ । ଜିଲାପାଳଙ୍କ ନିର୍ଦେଶକ୍ରମେ ସୁହାନୀକୁ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଗୃହକୁ ପଠାଇଦିଆଯାଇଥିବା ସୂଚନା ଦିଆଯାଇଛି । ସୁହାନୀକୁ ଜିଲାପାଳଙ୍କ ନିକଟରେ ହାଜର କରାଯିବା ସମୟରେ ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ସଭ୍ୟା ସ୍ମିତାଞ୍ଜଳି ମହାପାତ୍ର, କିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର ହୋଇଥିବା ନାବାଳିକା ସୁହାନୀର ସମସ୍ତ ପାଠପଢା ଖର୍ଚ୍ଚ କେନ୍ଦ୍ରାପଡା ଡିଏଭି ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସ୍ୱେଛାକୃତ ଭାବେ ବହନ କରିବେ ବୋଲି ଜିଲାପାଳଙ୍କୁ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସମାଚାର