ଭୁବନେଶ୍ୱର, ୨୦/୦୩/୨୦୨୧(ଓଡ଼ିଶା ସମାଚାର)- କ୍ରମାଗତଭାବେ ରାଜ୍ୟରେ କରୋନା କାୟା ମେଲାଇ ଚାଲିଛି । ଗତକାଲି ରାଜ୍ୟରେ ୧୧୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୨୦ ଜଣ ଚିହ୍ନଟ ହୋଇଛନ୍ତି । ଦୈନିକ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୪ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୨୬ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୩ଜଣ, ରାୟଗଡ଼ା ଜିଲ୍ଲାରୁ ୩ଜଣ ,ସମ୍ବଲପୁର ଜିଲ୍ଲାରୁ ୧୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ଜଣ, ଷ୍ଟେଟ୍ ପୁଲ୍ରୁ ୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୭୧୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୮୭୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୩୫୯୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୭୫୪ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୮୭୬୨୬୦୭ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।
ଅନ୍ୟପକ୍ଷରେ କଟକ ମଧୁପାଟଣାସ୍ଥିତ ଏକ ଶ୍ରୀ ଅରବିନ୍ଦ ଆବାସିକ ଛାତ୍ରାବାସରୁ ଏକାଥରେ ଗୁଡ଼ିଏ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଓ ରାଜଧାନୀକୁ ବିଦେଶରୁ ଆସିଥିବା ୨ ଜଣ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଥିବା ଜଣାପଡ଼ିବା ପରେ ଚିନ୍ତା ବଢ଼ିଯାଇଛି । ଓଡ଼ିଶା ସମାଚାର